ଧାନ କିଣା ପାଇଁଁ ଟାର୍ଗେଟ ନାହିଁ, ଚିନ୍ତାରେ ଚାଷୀ ଓ ପେକ୍ସ ସମ୍ପାଦକ

ବୌଦ୍ଧ,୭/୩ – ଚଳିତ ବର୍ଷ ଜିଲ୍ଲାରେ ଆରମ୍ଭରୁ ହିଁ ଖରିଫ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା l ଚାଷୀ ପଂଜିକରଣ କରିଥିବା ସମସ୍ତ ଧାନ ଯୋଗାଣ ବିଭାଗ କ୍ରୟ କରି ପାରିବ ନାହଁ ବୋଲି ଯେଉଁ ଆଶଂକା କରା ଯାଇଥିଲା ତାହା ସତ ହୋଇଛି | ଜିଲ୍ଲାରେ ହଜାର ହଜାର ବସ୍ତା ଧାନ ବିଭିନ୍ନ ମଣ୍ଡିରେ ପଡି ରହିଥିବା ଦେଖିବାକୁ ମିଳୁଛି l ଟାର୍ଗେଟ ଅଭାବରୁ ଧାନ ଉଠି ପାରୁନାହିଁ | ଦିନର ଖରା ଓ ରାତିର ଶୀତରେ ଚାଷୀ ସପ୍ତାହ ସପ୍ତାହ ଧରି ଜଗି ରହିଛି ମଣ୍ଡିରେ l ଚାଷୀର ଦୁଃଖକୁ ବୁଝିବାକୁ କେହି ନାହିଁ | ପରସ୍ପର ଉପରେ ଦୋଷ ଦେଇ ଚାଲିଛନ୍ତି ଯୋଗାଣ ଓ ସମବାୟ ବିଭାଗ l ଧାନ ବିକ୍ରୟ ନେଇ କୌଣସି ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟକୁ ଆସିଲେ ସହକାରୀ ନିବନ୍ଧକ ସମବାୟ ସେକଥା ବୁଝିବେ ବୋଲି ପଠାଉଛନ୍ତି କିମ୍ବା ପେକ୍ସର ସମ୍ପାଦକଙ୍କୁ କୁହ ବୋଲି କୁହା ଯାଉଛି l ସମବାୟ ସମିତି ନିବନ୍ଧକ ଟାର୍ଗେଟ ନେଇ ତାଙ୍କର କୌଣସି କର୍ତୃତ୍ୱ ନଥିବା ଓ ତାହା ଯୋଗାଣ ବିଭାଗର କାମ ବୋଲି କହୁଛନ୍ତି l ଅନେକ ମଣ୍ଡିରେ କ୍ରମାନ୍ୱୟରେ ଫେବ୍ରୁଆରୀ 15 ତାରିଖ ପର୍ଯ୍ୟନ୍ତ ଧାନ କିଣା ଯାଇଛି ଓ ତାପରେ ଟାର୍ଗେଟ ଅଭାବରୁ ମଣ୍ଡି ବନ୍ଦ ହୋଇ ଯାଇଥିବା ଜଣାପଡିଛି l ସରକାର ସିଧା ସଳଖ ଚାଷୀଙ୍କ ମୋବାଇଲକୁ ଟୋକେନ ପଠାଇଲେ l ଧାର୍ଯ୍ୟ ଦିବସରେ ଧାନ ଆଣିବା ବେଳକୁ ଟାର୍ଗେଟ ସରି ଯାଇଛି l ଫଳରେ ଜିଲ୍ଲାରେ ହଜାର ହଜାର ଚାଷୀ ଧାନ ବିକି ନପାରି ଏବେ ଚିନ୍ତାରେ l ଧାନ ପଂଜିକରଣ ବେଳେ ସବୁ ଚାଷୀଙ୍କୁ ସାମିଲ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ବର୍ତ୍ତମାନ ଧାନ କିଣା ବେଳକୁ ସରକାର କାହିଁକି ନିରବ ବୋଲି ଚାଷୀ ପ୍ରଶ୍ନ କରୁଛନ୍ତି l ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାକୁ ଆଉ ଟାର୍ଗେଟ ଆସିବାର ନାହିଁ | ଯିଏ ଯାହା ବିକିଲା ବିକିଲା ଓ ଯିଏ ରହିଲା ରହିଲା l କେବଳ କିଛି ମଣ୍ଡି ରେ ବଳକା ରହିଥିବା ସ୍ୱଳ୍ପ ଟାର୍ଗେଟ କୁ କାଟି ଅନ୍ୟ ମଣ୍ଡିକୁ ଦେଇ ଜିଲ୍ଲା ଯୋଗାଣ ବିଭାଗ ପରିଚାଳନା କରୁଥିବା ଜଣାପଡିଛି ଯାହାକି ମାଗି ଆଣିବା ତରକାରୀ ସଦୃଶ l ଜିଲ୍ଲା ଯୋଗାଣ ବିଭାଗ ଅନ୍ୟକୁ ଦୋଷ ନ ଦେଇ ଚାଷୀଙ୍କ ସମସ୍ତ ଧାନ କିଭଳି କିଣା ଯାଇ ପାରିବ ସେ ସମ୍ପର୍କରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି |

Comments (0)
Add Comment