୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ, ସେଲ ରାଞ୍ଚିକୁ ହରେଇ ଆହ୍ଲାବାଦ ଫାଇନାଲରେ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡିଆରେ ହେଉଥିବା ୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପର ଦ୍ୱିତୀୟ ସେମିଫାଇନାଲରେ ସେଲ ରାଞ୍ଚିକୁ ହରେଇ ଏନଏନଏସ ଆହ୍ଲାବାଦ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ମ୍ୟାଚଟି ତିନୋଟି ଫର୍ମାଟରେ ହୋଇଥିଲା । ପ୍ରଥମ ଫର୍ମାଟରେ ଆହ୍ଲାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୮ୱିକେଟ ହରେଇ ୧୩୮ରନ କରିଥିଲା । ଦଳର ରବି ଚୌଧୁରୀ ୨୩, ନିଗମ ଓ ଦୀପଙ୍କର ସିଂ ପ୍ରତ୍ୟେକ ୨୧ ରନ ଲେଖାଏଁ କରିଥିଲେ । ରାଞ୍ଚିର ରୋହିତ କୁମାର ୩ ଟି ୱିକେଟ ନେଇଥିଲେ । ଜବାବରେ ସେଲ ରାଞ୍ଚି ଦଳ ୧୬.୪ ଓଭର ରେ ୭ୱିକେଟ ହରେଇ ୧୪୦ରନ କରିଥିଲା । ଦଳର ଧର୍ମେନ୍ଦ୍ର ଗୁପ୍ତା ୩୭ ଓ ରୌସାନ କୁମାର ୩୧ରନ କରିଥିଲେ । ବିପକ୍ଷ ଆହ୍ଲାବାଦର କ୍ରୀଷ୍ଣା ସରୋଜ ଓ ଇମ୍ରାନ ପ୍ରତ୍ୟେକ ୩ ଟି ଲେଖାଏଁ ୱିକେଟ ନେଇଥିଲେ । ଦ୍ୱିତୀୟ ଫର୍ମାଟରେ ଆହ୍ଲାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୫ୱିକେଟ ହରେଇ ୧୨୨ ରନ କରିଥିଲା । ଦଳର ଦୀପଙ୍କର ସିଂ ୪୩ ଓ ଆଶିଷ ରତ୍ନମ ୩୬ରନ କରିଥିଲେ । ବିପକ୍ଷ ରାଞ୍ଚିର ସାମନ୍ତ କଁୱର ୩ ଟି ୱିକେଟ ନେଇଥିଲେ । ଜବାବରେ ସେଲ ରାଞ୍ଚି ନିର୍ଦ୍ଧାରିତ ୧୦ ଓଭରରେ ୫ୱିକେଟ ହରେଇ ୧୧୯ରନ କରିଥିଲା । ଦଳର ଉତ୍ତମ ୨୫ ବଲରୁ ୬୯ରନ କରିଥିଲେ । ଆହ୍ଲାବାଦର ଇମ୍ରାନ ୩ ଟି ୱିକେଟ ନେଇଥିଲେ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିଣିବାରୁ ସୁପର ଓଭର ଖେଳା ଯାଇଥିଲା । ଏଥିରେ ଆହ୍ଲାବାଦ ୧୧ରନ କରିଥିବା ବେଳେ ସେଲ ରାଞ୍ଚି ୭ ରନ କରି ପରାସ୍ତ ହୋଇଥିଲା । ଫଳରେ ଆହ୍ଲାବାଦ ୨-୧ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି ।

ପ୍ରାଣବନ୍ଧୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ରଘୁନାଥ ଜଗଦଲା, ଦୁର୍ଜନତୈଳା ସରପଞ୍ଚ ରଞ୍ଜିତ ଖେତି, ପୂର୍ବତନ ସରପଞ୍ଚ ସୁରନାରାୟଣ ଦେଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର ପତି ଓ ଜିଲ୍ଲା ମହିଳା ବିଜେଡି ସମ୍ପାଦିକା ଶାନ୍ତି ଲୁହା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ସେଲ ରାଞ୍ଚିର ଉତ୍ତମଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇ ଥିଲା । ମ୍ୟାଚଟିକୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା ଓ ଚୁଡାମଣି ପାଢୀ ପରିଚାଳନା କରିଥିବା ବେଳେ ବାଙ୍କାବିବହାରି ମହାକୁର ସ୍କୋରିଂ, ଚମାରୁ ମହାକୁର ଅନଲାଇନ ସ୍କୋରିଂ ଏବଂ ଆଲୋକ ଦେଓ,ଆଶିସ ଦେଓ ଓ ଅଚ୍ୟୁତ ମିଶ୍ର ପ୍ରାଣବନ୍ଧୁ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଆଜି ଫାଇନାଲ ମ୍ୟାଚ ଫରେଷ୍ଟ କ୍ଲବ ଛତିଶଗଡ ଓ ଏନଏନଏସ ଆହ୍ଲାବାଦ ମଧ୍ୟରେ ହେବ ବୋଲି ଆୟୋଜକ ସୁଶିଳ ପ୍ରଧାନ ପ୍ରକାଶ କରିଛନ୍ତି ।

Comments (0)
Add Comment