ଆବାସ ଯୋଜନା ଘର ଦେଖିନଥିବା ଗାଆଁ ଜାମୁପାଲି

ବୌଦ୍ଧ,୧୦/୩ – ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତର ଗୋଟିଏ ଗାଆଁ ହେଉଛି ଜାମୁପାଲି l ଆଶ୍ଚର୍ଯ୍ୟର କଥା ଏ ଗାଆଁରେ ପ୍ରାୟ 50 ଗୋଟି ପରିବାର ବାସ କରୁଥିବା ବେଳେ ଓ 90 ଭାଗ ପରିବାର ଗରୀବ ଶ୍ରେଣୀର ଲୋକ ହୋଇଥିଲେ ମଧ୍ୟ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେବା ଦିନ ଠାରୁ ଗୋଟିଏ ମଧ୍ୟ ପରିବାର ହିତାଧୀକାରୀ ହୋଇ ପାରିନାହିଁ l ମୋଟାମୋଟି କହିବାକୁ ଗଲେ ଜାମୁପାଲି ଗାଆଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କି ବିଜୁ ପକ୍କା ଯୋଜନା ଆଜି ଯାଏଁ ଦେଖି ପାରିନାହିଁ l ମିଳିଥିବା ସୂଚନା ଅନୁଯାୟୀ ସ୍ୱଳ୍ପ କେତୋଟି ପରିବାର ଅନେକ ବର୍ଷ ପୁର୍ବରୁ ଦିଆଯାଉଥିବା 25 ହଜାରିଆ ଇନ୍ଦିରା ଆବାସ ଘର ପାଇଥିଲେ l ଗ୍ରାମର ଅନେକ ଲୋକଙ୍କ ଚାଳ ଛପର ଘର ରହିଥିବା ବେଳେ 2022 ସୁଦ୍ଧା ସରକାର ଲକ୍ଷ ରଖିଥିବା ସବୁ ଘରକୁ ପକ୍କା ଘର କରିବା ଯୋଜନା ଏମାନଙ୍କୁ ଉପହାସ କରୁଛି | ଜାମୁପାଲି କେଉଁ ଉପାନ୍ତ ଅଂଚଳର ଗାଆଁ ନୁହେଁ, ବୌଦ୍ଧ ଜିଲ୍ଲା ଓ ବ୍ଲକ୍ ସଦର ମହକୁମାରୁ ମାତ୍ର 12 କିଲୋମିଟର ଦୂରରେ ରହିଛି | ବୌଦ୍ଧ – ବଘିଆପଡା ରାସ୍ତାରେ ପ୍ରାୟ 10 କିଲୋମିଟର ଯିବା ପରେ ପନଖିମାଲ୍ କେନାଲ ଛକ ଠାରୁ ପଶ୍ଚିମ ଦିଗକୁ ସାଲୁଙ୍କୀ ମୁଖ୍ୟ କେନାଲ ରାସ୍ତାରେ ମାତ୍ର ଦୁଇ କିଲୋମିଟର ଦୂରରେ ଜାମୁପାଲି l ଏ ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ବଘିଆପଡା ସରପଞ୍ଚଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରା ଯାଇଥିଲା ମାତ୍ର ସେ କଲ୍ ଋସିଭ୍ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନଥିଲା l

Comments (0)
Add Comment