ସଟ୍ ସର୍କିଟରୁ ବୌଦ୍ଧ ଡାକ୍ତରଖାନାରେ ଲାଗିଲା ନିଆଁ

ବୌଦ୍ଧ : ବିଦ୍ୟୁତ ସଟ୍ ସର୍କିଟ୍ ଯୋଗୁଁ ଆଜି ସଂଧ୍ୟା ପ୍ରାୟ ଘ.୭.୩୦ ମି. ସମୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ବଖରାରେ ନିଆଁ ଲାଗିଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଂଶୁଘାତ ପ୍ରକୋଷ୍ଠ ସାମ୍ନାରେ ଥିବା ବଖରା ଯେଉଁଠାରେ କି ଡାକ୍ତରଖାନା ସେବିକାମାନେ ବିଶ୍ରାମ ନିଅନ୍ତି ସେହି ପ୍ରକୋଷ୍ଠରେ ବିଦ୍ୟୁତ ସଟସର୍କିଟରୁ ନିଆଁ ଲାଗିଥିଲା ।

ପ୍ରକୋଷ୍ଠଟି ବନ୍ଦ ଥିବା ବେଳେ ନିଆଁ ଲାଗିବାରୁ ପ୍ରବଳ ଧୂଆଁ ବାହାରିଥିଲା । ତାହାକୁ ଦେଖି ଡାକ୍ତର ଓ କର୍ମଚାରୀମାନେ କବାଟ ଖୋଲି ବିଦ୍ୟୁତ ସରାବରାହ ବନ୍ଦ କରି ନିଆଁକୁ ଆୟତ୍ତ କରିଥିଲେ । କିଛି ଗଦି, ତକିଆ ଓ ଆସବାବପତ୍ର ପୋଡି ଯାଇଥିବା ଜଣାପଡିଛି । ଦମକଳ ବାହିନୀ ଖବର ପାଇ ପହଞ୍ଚିଥିଲେ । ସେହି ପ୍ରକୋଷ୍ଠରେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଲା ପକାଇ ଦେଇଥିବାରୁ କ୍ଷୟକ୍ଷତିର ପରିମାଣ ଜଣାପଡିନାହିଁ ।

ପ୍ରକୋଷ୍ଠରେ କେହି ନଥିଲେ ମଧ୍ୟ ପଙ୍ଖା ଓ ଅନ୍ୟାନ୍ୟ ବିଦ୍ୟୁତ ଉପକରଣ ସକ୍ରିୟ ଥିବାରୁ ସଟ୍‌ସର୍କିଟ ହୋଇ ନିଆଁ ଲାଗିଥିବା ଆଲୋଚନା ହେଉଛି । ଡାକ୍ତରଖାନା ନିଆଁ ଲିଭାଇବା ପାଇଁ ଥିବା ଫାୟାର ଏଙ୍ଗୁଷ୍ଟାରର ସମୟ ୨ ମାସ ତଳୁ ସରିଯାଇଥିଲେ ମଧ୍ୟ ତାହାକୁ ରିଫିଲ କରାଯାଇନଥିବାରୁ ତାହା ନିଆଁ ଲିଭାଇବା କାମରେ ଲାଗି ପାରିନଥିବା ଜଣାପଡିଛି ।

Comments (0)
Add Comment