ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଅମ୍ଫନ ଅତି ଭୟଙ୍କର ହେଉଛି । ଗତ ୬ ଘଣ୍ଟା ମଧ୍ୟରେ ୬ କି.ମି. ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅତିଭୟଙ୍କର ହେଉଛି । ଆଜି ଅପରାହ୍ନ ସାଢେ ୫ଟା ସୁଦ୍ଧା ଏହା କେନ୍ଦ୍ରୀଭୂତ ହୋଇଥିବା ବେଳେ ବର୍ତ୍ତମାନ ପାରାଦ୍ୱୀପଠାରୁ ୯୯୦ କି.ମି. ଓ ଦିଘାଠାରୁ ୧୧୪୦ କି.ମି., ଦକ୍ଷିଣ-ପଶ୍ଚିମ ଏବଂ ବାଂଲାଦେଶର ଖେପୁପାରାଠାରୁ ୧୨୬୦ କି.ମି., ଦକ୍ଷିଣ ପଶ୍ଚିମ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇ ଗତି କରୁଛି । ଏହି ସାମୁଦ୍ରିକ ଝଡ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ହେବାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଉତ୍ତର ଦିଗକୁ ଏହା ଗତି କରିବା ପରେ ଉତ୍ତର-ପୂର୍ବ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗକୁ ପୁନର୍ବାର ବକ୍ର ହୋଇ ପଶ୍ଚିମ-ସାଗର ଦ୍ୱୀପପୁଞ୍ଜ(ପଶ୍ଚିମବଙ୍ଗ) ଏବଂ ହାତୀୟ ଦ୍ୱୀପପୁଞ୍ଜ(ବାଂଲାଦେଶ) ମଧ୍ୟରେ ଅପରାହ୍ନ ସଂଧ୍ୟା ସମୟରେ ଅତିକ୍ରମ କରିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଆଲର୍ଟ ଜାରି କରାଯାଇଛି । ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କଥାବାର୍ତ୍ତା କରିଛି । ଖବରରୁ ଜଣାପଡିଛି ଯେ, ଓଡିଶା ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଘନୀଭୂତ ହେଉଥିବାରୁ ଆମକୁ ସତର୍କ ହେବା ସହିତ ବାତ୍ୟା ପରବର୍ତ୍ତୀ ୨ଦିନ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଏଥିପାଇଁ ମଧ୍ୟ ସରକାରୀ କଳ ପ୍ରସ୍ତୁତି ହୋଇଛି ।