ସମ୍ବଲପୁର, ୧୩/୮-
ଏକ ଆନ୍ତଜିଲ୍ଲା ବାହନଚୋରୀ ରେକେଟର ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସକୁ ସଫଳତା ମିଳିଛି । ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରାପ୍ତ ଏକ ସୂଚନା ଅନୁସାରେ ଏହି ରେକେଟ ସହିତ ସମ୍ପୃକ୍ତ ୩ ଜଣ ନାବାଳକ ସହିତ ମୋଟ ୧୫ ଜଣ ଧରା ପଡିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ହୋଇ ଥିବାରୁ ସେମାନଙ୍କୁ ଅଟକ ରଖି ବାକି ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ୨୦ ଟି ବାଇକ ଓ ଗୋଟିଏ ଚାରିଚକିଆ ବାହନ ଜବତ କରାଯାଇଛି । ଏହି ଦଳ ବିଭିନ୍ନ ସ୍ଥାନରୁ ବାଇକ ଚୋରି କରି ସେଗୁଡିକୁ ବଉଦ, କନ୍ଧମାଳ, ସୋନପୁର ଆଦି ଜିଲ୍ଲାରେ ଗଞ୍ଜେଇ ତସ୍କରମାନଙ୍କୁ ସ୍ବଳ୍ପ ଦରରେ ଯୋଗାଉଥିଲେ ବୋଲି ଜଣାପଡିଛି । ଏହି ରେକେଟର ସମ୍ପୂର୍ଣ୍ଣ ପର୍ଦ୍ଦାଫାଶ କରିବା ପାଇଁ ଗଠିତ ଏକ ଟାସ୍କ ଫୋର୍ସ କୁ ପ୍ରାୟ ସପ୍ତାହେ ସମୟ ଲାଗିଗଲା । ବାହନ ଚୋରୀ ବାବଦରେ ସ୍ଥାନୀୟ ଟାଉନ ଥାନା ରେ ୫, ଧନୁପାଲି ଥାନାରେ ୧୦ ଓ ରେଙ୍ଗାଲି ଥାନାରେ ୬ଟି ମାମଲା ରୁଜୁ ହେଲା ପରେ ପୁଲିସ ଅଧିକ୍ଷକ ନିଜେ ଏହାର ସଂଜ୍ଞାନ ନେଇ ଏକ ଟାସ୍କ ଫୋର୍ସ ଗଠନ କରି ତାହାକୁ ଏହା ର ତଦନ୍ତ ଭାର ଦେଇଥିଲେ ।