ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ ସାମ୍ବାଦକଙ୍କୁ ସହିଦ ମାନ୍ୟତା ପାଇଁ ଜିଲ୍ଲାପଳଙ୍କୁ ଦାବିପତ୍ର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ତରଫରୁ କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ ଅଞ୍ଚଳରେ ଗତ ୫ ତାରିଖରେ ମାଓବାଦୀମାନଙ୍କ ଦ୍ୱାରା ବିଛା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ମୋହନଗିରିର ସାମ୍ୱାଦିକ ରୋହିତ ବିଶ୍ୱାଳଙ୍କ ପ୍ରାଣହାନୀ ଓ ତତ୍‌ ସଂଲଗ୍ନ ୬ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ମାଓବାଦୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ନିହତ ସାମ୍ବାଦିକଙ୍କୁ ସହିଦ ମାନ୍ୟତା ପ୍ରଦାନ, ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣକୁ ସରକାରୀ ଚାକିରୀ ପ୍ରଦାନ, ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ, ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ, ସାମ୍ବାଦିକଙ୍କ ପ୍ରଚଳିତ ବିମାରାଶିକୁ ୫୦ଲକ୍ଷ ଟଙ୍କାକୁ ବୃଦ୍ଧି, ସମ୍ବେଦନଶୀଳ ଘଟଣା ଅନୁସନ୍ଧାନ (ମାଓପ୍ରବଣ, ବନ୍ୟା, ବାତ୍ୟା, ଦଙ୍ଗା) ଆଦି ଘଟଣା ସମ୍ପର୍କିତ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କ ଭୂମିକା ନେଇ ଏକ ମାର୍ଗଦର୍ଶିକା କାର୍ଯ୍ୟାବଳୀ ଜାରି କରିବା ଇତ୍ୟାଦି ୬ ଦଫା ଦାବି ନେଇ ଆଜି ନବରଙ୍ଗପୁର ଜିଲ୍ଲାର ଓଜେୟୁ କର୍ମକର୍ତ୍ତାମାନେ ଦାବିପତ୍ର ଜିଲ୍ଲାପାଳଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ପ୍ରଦାନ କରିଥିଲେ ।


ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ବାଙ୍କ ବିହାରୀ ବିଷୋୟୀ ସରକାରଙ୍କ ତରଫରୁ ତୁରନ୍ତ ୧୩ ଲକ୍ଷ ଟଙ୍କାର (ସୂଚନା ଓ ଲୋକସମ୍ପର୍କ ବିଭାଗର ୪ ଲକ୍ଷ ଓ ପୋଲିସ ବିଭାଗର ୯ ଲକ୍ଷ ) ଅନୁଦାନ ପାଇଁ ସରକାରଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ଏହି ଦାବିପତ୍ରରେ ସରାକରଙ୍କୁ ସହୃଦୟର ସହ ଏହି ୬ଗୋଟି ଦାବି ବିଷୟରେ ବିଚାରକରି ଉଚିତ୍‌ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟ ସଂପାଦକ ବାଙ୍କ ବିହାରୀ ବିଷୋୟୀ, ଉପସଭାପତି ରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ଶିବ ଶଙ୍କର ତ୍ରିପାଠୀ, ଜିଲ୍ଲା ସଂପାଦକ ଜ୍ୟୋତି ପ୍ରକାଶ ଦାଶ, କେ. ବେଣୁ ଗୋପାଳ ରାଓ, ଜିତେନ୍ଦ୍ର କାନୁନଗୋ, ଉପଦେଷ୍ଟା ଭାଗିରଥି ମଲ୍ଲିକ, ଜାନକୀ କାନ୍ତ ବିଷୋୟୀ, ପ୍ରମିଳା ନାୟକ ପ୍ରମୁଖ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Comments (0)
Add Comment