ପଛୁଆବର୍ଗ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କଲା ଭାଜପା

ସମ୍ବଲପୁର : ପଛୁଆ ବର୍ଗ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କରିଛି ଭାରତୀୟ ଜନତା ପାର୍ଟି । ଆଜି ଏହି ପ୍ରସଙ୍ଗରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଭାଜପାର ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏହା କହିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ପଛୁଆ ବର୍ଗଙ୍କ ସାମାଜିକ, ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ଓବିସି କମିଶନଙ୍କ ସୁପାରିଶ କିଛି କାର୍ଯ୍ୟକାରୀ ହେଉନାହିଁ । ସେ ପ୍ରଶ୍ନ କରିଛନ୍ତି ଯେ ଦେଶର ଅଧିକାଂଶ ରାଜ୍ୟ ସଂବିଧାନର ଅନୁଚ୍ଛେଦ ୯ ବଳରେ ୫୦ ପ୍ରତିଶତ ସଂରକ୍ଷଣ ସିଲିଂ ବ୍ୟବସ୍ଥା କୁ ଅତିକ୍ରମ କରି ସେମାନଙ୍କ ରାଜ୍ୟରେ ପଛୁଆ ବର୍ଗଙ୍କୁ ସବୁ କ୍ଷେତ୍ରରେ ସଂରକ୍ଷଣ ଦେଉଥିବା ବେଳେ ଓଡ଼ିଶା ସରକାର ଏଦିଗରେ କାହିଁକି ପଛଘୁଞ୍ଚା ଦେଉଛନ୍ତି? ଆତ୍ମ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ଉଦ୍ଦିଷ୍ଟ ବ୍ୟବସ୍ଥାକୁ ରାଜ୍ୟ ସରକାର ଅଣଦେଖା କରି ଆସୁଛନ୍ତି ଓ ୨୭ ପ୍ରତିଶତ ତ ବହୁତ ଦୂରର କଥା ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ ହୋଇଛନ୍ତି, ବୋଲି ସେ ଅଭିଯୋଗ କରିଛନ୍ତି । ଶିକ୍ଷା ବିଭାଗରେ ସତ୍ୟତା ପ୍ରକାଶିତ ବିଜ୍ଞପ୍ତିରେ ୧୨୬୦ଟି ପିଲାଟି ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରାଯାଇଛି ଓ ସେଥିରେ ପଛୁଆ ବର୍ଗ ପାଇଁ ମାତ୍ର ୨୩ଟି ପଦ ସଂରକ୍ଷିତ ରହିଛି, ଯାହାକି ରାଜ୍ୟ ସରକାରଙ୍କ ମନୋଭାବ ପ୍ରମାଣିତ କରୁଛି । ଏହି ବିଜ୍ଞପ୍ତି ବାତିଲ କରି ପଛୁଆ ବର୍ଗ ପାଇଁ ଉଚିତ ସଂରକ୍ଷଣ ସହିତ ଏକ ସାନି ବିଜ୍ଞପ୍ତି ପ୍ରକାଶିତ କରାଯିବା ପାଇଁ ସେ ଦାବି କରିଛନ୍ତି । ସେ ପୁଣି ପ୍ରଶ୍ନ କରିଛନ୍ତି ଯେ ଗତ ୨୦୨୦ ଫେବୃଆରୀ ରେ ପଛୁଆ ବର୍ଗ ତାଲିକା ତିଆରି କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରିଥିଲେ ଏବଂ ଏହା ସହିତ ୩ ଜାନୁଆରୀ ୨୦୨୧ରେ ରାଜ୍ୟ ଓବିସି କମିଶନ ଓ ଓବିସି ଜନଗଣନା କରି ତଦାନୁରୂପେ ସଂରକ୍ଷଣ ସୁନିଶ୍ଚିତ କରାଇବା ପାଇଁ ଘୋଷଣା କରିଥିଲେ, ଯାହାକି ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରୀ କରାଯାଇନାହିଁ ? ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ଜିଲ୍ଲା ସଭାପତି ଗିରିଶ ପଟେଲ, ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ, କ୍ଷେତ୍ରୀୟ ମିଡ଼ିଆ ସଂଯୋଜକ ମାନସ ବକ୍ସି, ଜିଲ୍ଲା ମିଡ଼ିଆ ସଂଯୋଜକ ସଂଜୟ ଷଡ଼ଙ୍ଗୀ ସହିତ ଓବିସି ମୋର୍ଚ୍ଚା ର ରାଜ୍ୟ ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମଞ୍ଚାସୀନ ରହିଥିଲେ ।

Comments (0)
Add Comment