ବିଶୁଦ୍ଧ ପାଣି ପାଉନାହାନ୍ତି ପାଟଣାଗଡ ସହରବାସୀ : ପାଣି ବିଶୋଧନ ମେସିନ୍‌ ଅଚଳ, ମରାମତି ଦାବି

ପାଟଣାଗଡ଼ : ଆମ୍ଭେ ସାଧାରଣତଃ କହୁ ଯେ ଜଳହିଁ ଜୀବନ, ଜଳବିନା ଜୀବନ ବଞ୍ଚିବା ଅସମ୍ଭବ । ତେବେ ଏକଥା ବି ସତ ଏବଂ ମଣିଷ ଜୀବଜନ୍ତୁ ଯେଉଁ ଜଳକୁ ବିନା ଦ୍ୱିଧାରେ ପିଇ ପାରନ୍ତି ତାହାକୁ ପାନୀୟଜଳ କୁହାଯାଇଥାଏ । ଏନେଇ ସରକାର ମଧ୍ୟ ପାନୀୟ ଜଳ ଯୋଗାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସହରବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ସ୍ୱତନ୍ତ୍ର ପିଏଚ୍‌ଡି ବିଭାଗକୁ ଦାୟୀତ୍ୱ ନ୍ୟସ୍ତ କରିଛନ୍ତି । କୋଟିକୋଟି ଟଙ୍କା ଖର୍ଚ୍ଚ କରି ପାଣି ବିଶୋଧନ ମେସିନ ସ୍ଥାପନ କରାଯାଇଥିବା ବେଳେ ଦୀର୍ଘଦିନ ଧରି ଉଚ୍ଚ ସମ୍ପନ୍ନ ଫିଲଟର ମେସିନ ଅଚଳ ଯୋଗୁ ସହରବାସୀ ବିଶୁଦ୍ଧ ପାଣି ପାଇପାରୁନାହାନ୍ତି । ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରବାସୀଙ୍କ ପାଇଁ ପିଏଚ୍‌ଡି ପକ୍ଷରୁ ପାନୀୟ ଜଳ ଯୋଗାଣ କରୁଛି । ନଦୀରୁ ଗଭୀର କୁଅ ଖୋଲାଯାଇ ସହରକୁ ପାନୀୟ ଜଳ ଯୋଗାଣ କରାଯାଉଛି ହେଲେ ଅସୁରକ୍ଷିତ ମୁକୁଲା ପାଣିଟାଙ୍କି । ଅନ୍ୟ ପକ୍ଷରେ ପାଣିକୁ ବିଶୋଧନ ପ୍ରକ୍ରିୟା ପାଇଁ ଯନ୍ତ୍ର ବସାଯାଇ ଥିଲେ ମଧ୍ୟ ତାହା ଦୀର୍ଘ ଦିନ ହେବ ଅଚଳ ହୋଇପଡିଛି । ଉକ୍ତ ପାଣି ଟାଙ୍କିରୁ ସିଧାସଳଖ ପାଟଣାଗଡ଼ ସହରକୁ ଜୋନ୍‌ ମାଧ୍ୟମର ବିଭକ୍ତ କରି ସହର ଗଡଭିତର, ଗଙ୍ଗାନଗର, କାଦୋପଡା, ବଡ଼ପଡା, ବାବାଜୀପଡା ହସ୍ପିଟାଲ ପଡ଼ା ଆଦି ପଡ଼ାକୁ ଗୋଲିଆ ପାଣି ଯୋଗାଇଥିବା ଅଭିଯୋଗ ହେଉଛି । ପିଏଚ୍‌ଡି କାର୍ଯ୍ୟାଳୟ ପରିସରରେ ଥିବା ପାଣି ସଂଗୃହିତ କୋଠା ଅପରିଷ୍କାର ଓ ଅସୁରକ୍ଷିତ, ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି । ମଶା ମାଛି ସରିସୃପ,ବିଶାକ୍ତ ସାପ ପଡ଼ି ମରିଯିବା ସହ ଏଜବେଷ୍ଟର ମଧ୍ୟ କଳଙ୍କି ଲାଗି ମୁକୁଳା ହୋଇପଡିଛି । ଯାହାକି ପାଣି ବ୍ୟବହାର କରିବା ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ପାଟଣାଗଡ଼ ସହରବାସୀଙ୍କ ପାଇଁ ବସା ଯାଇଥିବା କୋଟି କୋଟିର ପାଣି ବିଶୋଧନ ମେସିନ ଏବେ ଖତ ଖାଉଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Comments (0)
Add Comment