ଗୁଳିମାଡରେ ସମିତି ସଭ୍ୟାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟଣା; ୨ ସନ୍ଦିଗ୍ଧ ଅଟକ,ତଦନ୍ତ ଜାରି

ପାଟଣାଗଡ : ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ବନମାଲ ଗ୍ରାମରେ ଗତକାଲି ରାତ୍ରିରେ କେତେକ ଦୁର୍ବୃତ୍ତଙ୍କ ଗୁଳି ମାଡରେ ସମିତି ସଭ୍ୟାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାର ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ୨ଜଣ ସନ୍ଦିଗ୍ଧ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି । ସୂଚନା ଅନୁଯାୟୀ ବାଗଦୋର ପଂଚାୟତର ବନମାଲ ଗ୍ରାମର ସମିତି ସଭ୍ୟା ବନିତା ବିଶ୍ୱାଳ ଏବଂ ତାଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳ ନିଜ ଘର ସମାନରେ ରାତ୍ର ୮ ଘଂଟା ସମୟରେ ବସିଥିଲେ । ସେହି ସମୟରେ ୩ ଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ଲୋକନାଥ ବିଶ୍ୱାଳଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ଦେହରେ ବନ୍ଧୁକ ଲଗାଇ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଗୁଳିଟି ତାଙ୍କ ଛାତିରେ ବାଜିଥିଲା । ତୁରନ୍ତ ପରିବାର ଲୋକେ ତାଙ୍କୁ ବେଲପଡା ଡାକ୍ତରଖାନାକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଲୋକନାଥ ବିଶ୍ୱାଳ ଅଂଚଳର ଜଣେ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ଡାକ୍ତରଖାନାରେ ଚାପା ଉତ୍ତେଜନା ଲାଗିଥିଲା । ପୋଲିସ ପହଂଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । ମୃତ ଲୋକନାଥଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ପ୍ରାୟ ଏକ ବର୍ଷ ତଳେ ଏକ ବାହାଘର ଭୋଜିକୁ ନେଇ ବନମାଲ ଗ୍ରାମର ବସୁ ପଧାନଙ୍କ ପୁଅ ଏବଂ ଲୋକନାଥଙ୍କ ପୁଅ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ପରେ ଗଣ୍ଡଗୋଳ ଦୁଇ ପରିବାର ମଧ୍ୟରେ ଉଗ୍ର ରୂପ ନେଇଥିଲା । ସେହି ଘଟଣାରେ ମୃତ ଲୋକନାଥଙ୍କ ଭାଇ ମନୁ ଏବଂ ପୁଅ ଅନିଲ ମିଶି ବସୁ ପଧାନକୁ ମାଡ ମାରିଥିଲେ ଏବଂ ଏଥିରେ ଜେଲ ମଧ୍ୟ ଯାଇଥିଲେ । ଅନ୍ୟ ପକ୍ଷରେ ଗତ ସରପଂଚ ନିର୍ବାଚନକୁ ନେଇ ଗିରିଧାରି ସା ଏବଂ ମୃତ ଲୋକନାଥଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ପରେ ଗିରିଧାରି ସା ର ସମର୍ଥକ ଟିକେଶ୍ୱର ସା ତାସ ଖେଳକୁ ନେଇ ଅନିଲଙ୍କ ସହିତ ଝଗଡା କରିଥିଲା ଏବଂ ଖଣ୍ଡା ଧରି ଅନିଲକୁ ମାରିବାକୁ ଗୋଡାଇଥିଲେ । ଏମିତି ଅନେକ ଘଟଣା ମୃତ ପରିବାର ଏବଂ ଗାଁ ର କିଛି ବ୍ୟକ୍ତିଙ୍କ ସହିତ ଲାଗି ରହୁଥିଲା । ଯାହା ଫଳରେ ପରିବାର ଲୋକଙ୍କ କହିବାନୁଯାୟୀ ବାସୁ ପଧାନ ନିୟନ୍ତ ବିଶ୍ୱାଳ ଏବଂ ଗିରିଧାରି ସା ଭଡାଟିଆ ଗୁଣ୍ଡା ଡାକି ଗୁଳି୍‌ କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ପୋଲିସ ୨ ଜଣ ସନ୍ଦିଗ୍ଧ ଏବଂ ବସୁ ପଧାନଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ବଲାଙ୍ଗିର ଏସପି ନିଜେ ଲାଠୋର ଥାନାରେ ତଦନ୍ତ ଜାରି ରଖିଛନ୍ତି ଏବଂ ଅଟକ ବ୍ୟକ୍ତିଙ୍କୁ ପଚରା ଉଚରା ଜାରି ରଖିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଂଚି ତନାଘନା କରୁଛି । ପୋଲିସର ତଦନ୍ତ ସରିଲା ପରେ ପ୍ରକୃତ ଘଟଣା ଜଣାପଡିବ,ଏହା ରାଜନୈତିକ ନା ପାରିବାରିକ ଶତୃତାରୁ ହତ୍ୟାକାଣ୍ଡ ।

Comments (0)
Add Comment