କୋଣାର୍କରେ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ ଉଦଯାପିତ, କ୍ରୀଡା ଛାତ୍ରାବାସର ନିର୍ମାଣ ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

କୋଣାର୍କ : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପୁରୀଜିଲ୍ଲା ନେହେରୁ ଯୁବକେନ୍ଦ୍ର ସହାୟତାରେ ଫ୍ରେଣ୍ଡସ କ୍ଲବ, ଶିରିପୁର ଓ ସାମାଜିକ ସଂଗଠନ ସଂପର୍କ ମିଳିତ ଆନୁକୁଲ୍ୟରେ ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ କାର୍ଯ୍ୟକ୍ରମ ସୂର୍ଯ୍ୟ ମନ୍ଦିର ପରିସରରେ ଉଦଯାପିତ ହୋଇଯାଇଛି । ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟ ଶଙ୍କର ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଏକ ସୁସ୍ଥ ଭାରତ, ଯୁବ ଭାରତ ଗଠନ ପାଇଁ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ ନିହାତି ଅପରିହାର୍ଯ୍ୟ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ଯୁବ କ୍ରୀଡା ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୮୯ଟି ଷ୍ଟାଡିୟମ ସଂକଳ୍ପ ଓ ଯୁବବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତନକୁ ସ୍ମରଣ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ କେନ୍ଦ୍ରର ଆଂଚଳିକ ନିର୍ଦ୍ଦେଶକ ନବୀନ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶ୍ୱ ପ୍ରସିଦ୍ଧ କୋଣାର୍କ ଠାରେ ଏକ କ୍ରୀଡା ଛାତ୍ରାବାସ ଓ ଦୁଃସାହସିକ କ୍ରୀଡା ପ୍ରକଳ୍ପ ନିମନ୍ତେ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବା ପାଇଁ ଉପସ୍ଥିତ ମୁଖ୍ୟ ଅତିଥି କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାର କାନ୍ତି ବେହେରା ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ତଥା ବରିଷ୍ଠ ଗୀତିକାର ବଦ୍ରୀ ମିଶ୍ର, ପ୍ରାକ୍ତନ ଉପନିର୍ଦ୍ଦେଶକ ପ୍ରବୀର କୁମାର ପ୍ରଧାନ ଓ ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ କ୍ରୀଡାବିତମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପରିପ୍ରେକ୍ଷୀରେ ସମାଜସେବା ପାଇଁ ପୁରୀ ଅଂଚଳର ବିଶିଷ୍ଟ ସାହିତ୍ୟିକ ବଦ୍ରୀ ମିଶ୍ର, କୋଣାର୍କର ରାମକୃଷ୍ଣ ମହାନ୍ତି, ଗଣେଶ ଚନ୍ଦ୍ର ସ୍ୱାଇଁ, ଏନଏ ଶାହା ଅନସାରୀ ଓ ବାଲୁକାଶିଳ୍ପୀ ସରିତା ଗୋଛାୟତ ପ୍ରମୁଖଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ୨୦୦ ଜଣ କ୍ରୀଡାବିତ, ସାମାଜିକ କର୍ମୀ, ଯୁବ ସଂଗଠନ ମୁଖ୍ୟ, ସ୍ୱେଚ୍ଛାସେବୀ ପ୍ରମୁଖ ଫିଟ ଇଣ୍ଡିଆ ଫ୍ରିଡ଼ମ ରନରେ ଯୋଗ ଦେଇ କୋଣାର୍କ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଣାର୍କ ସାହିତ୍ୟ ସଂସଦ ର ସଂପାଦକ ରବିନ୍ଦ୍ର ନାଥ ବାହୀନପତି, ସାମାଜିକ କର୍ମୀ ପ୍ରେମାନନ୍ଦ ରାଉତରାୟ ଓ ସତ୍ୟସାଇ ସେବା ସମିତିର ବାମଦେବ ଆଳୁକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ସମାଜସେବୀ ରାମକୃଷ୍ଣ ମହାନ୍ତି, ପ୍ରିୟ ରଞ୍ଜନ ରଥ, ଧୀରେନ୍ଦ୍ର ପ୍ରଧାନ, ପ୍ରେମାନନ୍ଦ ରାଉତରାୟ, ବାବୁରାମ ସ୍ୱାଇଁ, ହରିହର ଜେନା, ଯଶସ୍ୱୀ ରାୟ ଓ କାହ୍ନା ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

Comments (0)
Add Comment