ନଦୀ ଗର୍ଭରୁ ମିଳିଲା ବିରଳ ଚକ

ବାଲିଗୁଡା: ନଦୀ ଗର୍ଭରୁ ବିରଳ ଚକ ଉଦ୍ଧାର । ଏହା ଶ୍ରୀକୃଷ୍ଣଙ୍କ ରଥର ଚକ ବୋଲି କୁହାଯାଉଛି । ଗାଁ ରେ ପୂଜାର୍ଚ୍ଚନା ଚାଲିବା ସହ ଶକ୍ତିମୟୀ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ୍‌ ଅନ୍ତର୍ଗତ ମହାସିଙ୍ଗି ଗ୍ରାମ ପଞ୍ଚାୟତର ପୁରୁଣା ସାହିରେ । ଏହି ଚକ ପ୍ରାଚୀନ କାଳରୁ ଥିବା ଅନୁମାନ କରାଯାଉଥିବା ବେଳେ ଏହାକୁ ଗ୍ରାମବାସୀ ଶ୍ରୀ କୃଷ୍ଣଙ୍କ ରଥର ଚକ ବୋଲି କହୁଛନ୍ତି । ଗ୍ରାମବାସୀ କହିବା ଅନୁସାରେ ସୁମନ୍ତ ନାୟକ ନିକଟସ୍ଥ ଖଡ୍ଗ ନଦୀକୁ ଗୋଧୋଇବାକୁ ଯାଇଥିବା ବେଳେ ତାଙ୍କ ପାଦରେ ଏହି ଚକ ବାଜିଥିଲା । ଏହାପରେ ନଦୀ ବାଲିରୁ ସୁମନ୍ତ ଚକଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ ଏବଂ ସେଠାରୁ ସେ ଚାଲିଆସିଥିଲେ । ଏହାପରେ ସୁମନ୍ତଙ୍କୁ ରାତିରେ ବାରମ୍ବାର ସ୍ୱପ୍ନ ହେବାରୁ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ଗ୍ରାମବାସୀଙ୍କ ସହାୟତାରେ ନଦୀଗର୍ଭରୁ ଚକଟିକୁ ବାହାର କରିଥିଲେ । ସେହି ଚକକୁ ହରିହର ଠାକୁରଙ୍କ ପୀଠ ନିକଟରେ ରଖି ପୂଜାର୍ଚ୍ଚନା କରୁଛନ୍ତି ଗ୍ରାମବାସୀ । ସେପଟେ ସରକାର ଏହା ଉପରେ ଦୃଷ୍ଟି ଦେଇ ପୂଜାମଣ୍ଡପ କରିଦେଲେ ଏହି ଚକ ସୁରକ୍ଷିତ ରହିବ ବୋଲି କହିଛନ୍ତି ଗ୍ରାମବାସୀ । ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଲାଗୁଛି ମହାସିଙ୍ଗି ଗ୍ରାମରେ ।

Comments (0)
Add Comment