ନୂଆପଡା : ଆଜିକୁ ୪ ବର୍ଷ ହେଲା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଦୁଇଟି ଗୋଡ ସମ୍ପୂର୍ଣ୍ଣ ଭାବେ କାମ କରୁନଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଚିକିତ୍ସା ପାଇଁ ନେତା ଠାରୁ ପ୍ରଶାସନକୁ ଜଣାଇ ଜଣାଇ ଥକି ଗଲେଣି । ହେଲେ ଏଥି ପ୍ରତି କାହାର ନଜର ନାହିଁ । ବିଜୁ ସ୍ୱାସ୍ଥ୍ୟ ଯୋଜନା ମଧ୍ୟ ଏଠି ଅପହଞ୍ଚ ପାଲଟିଛି । ଗରିବ ପରିବାର ହେତୁ ସରକାରୀ ଚିକିତ୍ସା ସହାୟତାକୁ ଅପେକ୍ଷା । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେ଼ନ ଗାଁର ଭକ୍ତରାମ ମାଝୀଙ୍କ କ୍ଷେତ୍ରରେ । ପକ୍ଷାଘାତ୍ ରୋଗରେ ଆକ୍ରାନ୍ତ ହୋଇ ଅଣ୍ଟାରୁ ତଳକୁ ଦୁଇଟି ଗୋଡ ଅଚଳ ହୋଇଯାଇଥିବା ବେଳେ ଚିକିତ୍ସା ପାଇଁ ଘରେ ଅର୍ଥ ସାଜିଛି ବାଧକ । ବଢୁଛି ଯନ୍ତ୍ରଣା,ମିଳୁନି ସରକାରୀ ସୁବିଧା । ୪ ବର୍ଷ ହେବ ଦୁଃଖ କଷ୍ଟରେ ଭକ୍ତାରାମ ମାଝୀ ଦିନ କାଟୁଛନ୍ତି । ତାଙ୍କର ଦୁଇଟି ଗୋଡ ସମ୍ପୂର୍ଣ୍ଣ ଭାବରେ କାମ କରୁ ନ ଥିବାବେଳେ ଆଉ ଏହାର ଚିକିତ୍ସା ପାଇଁ ଘରେ ଅର୍ଥ ନାହିଁ । ଘରର ମୁରବି ଭକ୍ତରାମ ଦିନେ ପରିବାରକୁ ହସଖୁସିରେ ଚଳାଉଥିଲେ, ହେଲେ ହଠାତ ପକ୍ଷାଘାତ୍ ରୋଗରେ ଆକ୍ରାନ୍ତ ହୋଇ ଏବେ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି । ସେପଟେ ଭକ୍ତରାମ ମାଝୀଙ୍କର ସ୍ତ୍ରୀ ଦୀର୍ଘ ପାଞ୍ଚବର୍ଷ ହେବ ମାନସିକ ବିକୃତ ହୋଇ ଘୁରି ବୁଲୁଥିବା ବେଳେ ଭକ୍ତରାମ ମାଝୀ ତାଙ୍କର ଖାଇବାଠୁ ଗାଧୋଇବା ପର୍ଯ୍ୟନ୍ତ ତାଙ୍କର ପୁତୁରା ଉପରେ ନିର୍ଭର କରନ୍ତି । ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଅଣ୍ଟାରୁ ତଳକୁ ଆଉ କାମ କରୁନଥିବା ବେଳେ ଯନ୍ତ୍ରଣା ଧୀରେ ଧୀରେ ବଢୁଛି, ହେଲେ ଏପଟେ ଚିକିତ୍ସା ପାଇଁ ଘରେ ଟଙ୍କା ନାହିଁ । ଚିକିତ୍ସା ପାଇଁ ରାଜନେତାରୁ ପ୍ରଶାସନକୁ ଜଣାଇଛନ୍ତି । ଆଉ ପ୍ରତିଶୃତି ମଧ୍ୟ ମିଳିଛି,ହେଲେ କାର୍ଯ୍ୟକାରୀ ସାତସପନ ପାଲଟିଛି । ଦୁଃଖ ସିନା ବଢୁଛି ହେଲେ, ରୋଗରୁ ମୁକ୍ତ ହୋଇ ପାରୁନାହାନ୍ତି । ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ତାଙ୍କୁ ଚିକିତ୍ସା କରିବାକୁ ଆକୁଳ ନିବେଦନ କରିଛନ୍ତି ଭକ୍ତରାମ ମାଝୀଙ୍କ ପରିବାର । ସେପଟେ ବୋଡେ଼ନ ମେଡିକାଲ ଇନଚାର୍ଜ ଡାକ୍ତର ସଞ୍ଜୀବ କୁମାର ନାଏକଙ୍କୁ ପଚାରିବାରୁ ଉପରୋକ୍ତ ଅଧିକାରୀ ସହ କଥା ହୋଇ ସ୍ୱତନ୍ତ୍ର ମେଡିକାଲ ଟିମ୍ ଗଠନ କରି ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆକ୍ରାନ୍ତ ଭକ୍ତରାମ୍ଙ୍କୁ ଚିକିତ୍ସା ପାଇଁ ରାଜ୍ୟ ସରକାରକୁ ଆକୁଳ ନିବେଦନ କରିଛନ୍ତି ତାଙ୍କ ପରିବାର ଲୋକେ ।