ଘୁ ଉଦୟଗିରି: ଶିକ୍ଷକ ହେବ ତ ବଳରାମ ସାହୁଙ୍କ ଭଳି । ଶିକ୍ଷାଦାନ ଯାହାଙ୍କ ଏକ ନିଶା । ନିଆରା ଜଣେ ଶିକ୍ଷକ । ଅବସର ପରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଜାରି ରଖିଛନ୍ତି । ବଳରାମ ସାହୁ ହେଉଛନ୍ତି ସ୍ଥାନୀୟ ସହରର ମହାଗୁଡା ସାହି ବାସିନ୍ଦା । ଉଚ୍ଚ ଶିକ୍ଷା ଗ୍ରହଣ ପରେ ଶିକ୍ଷକତା ଆରମ୍ଭ କରି ନିଜ ଜୀବନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ବେଶ ସୁନାମ ଅର୍ଜନ କରିବା ସହ ଏକ ଛାତ୍ର ବତ୍ସଳ ଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କ ନିକଟରେ ଆଦୃତ ହୋଇପାରିଥିଲେ । ନିଜ ଶିକ୍ଷକତା ଜୀବନରେ ନିଜ ନିଷ୍ଠାପର ଶିକ୍ଷାଦାନ ,ଶିକ୍ଷାଦାନର କୌଶଳ,ଶିକ୍ଷାକୁ କିଭଳି ଛାତ୍ରଛାତ୍ରୀ ସହଜରେ ଗ୍ରହଣ କରିପାରିବେ ତା ଉପରେ ସ୍ୱତନ୍ତ୍ର ଧ୍ୟାନ ଯୋଗୁଁ ସେ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ଅବସର ପରେ ସାଧାରଣତଃ ଯେ କୌଣସି ବ୍ୟକ୍ତି ବିଶ୍ରାମ ନିଅନ୍ତି । ଶିକ୍ଷକ ମଧ୍ୟ ଅବସର ପରେ ଶିକ୍ଷା ଦାନରୁ ଦୂରେଇ ଯାଆନ୍ତି । କିନ୍ତୁ ବଳରାମ ସାହୁ ନିଜ ଚାକିରୀ ଜୀବନରୁ ଅବସର ପରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଥିବା ସ୍ନେହ ଶ୍ରଦ୍ଧା ଶିକ୍ଷା ଦାନରୁ ଦୂରେଇ ନ ଯାଇ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଗଣିତ ବିଜ୍ଞାନ ଶିକ୍ଷା ଦାନ କରିଚାଲିଛନ୍ତି ।ଏହା ଭିତରେ ସେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସ୍ଥାନୀୟ ସହରର ବିଭିନ୍ନ ବିଦ୍ୟାଳୟରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଜସ୍ୱ ସମ୍ବଳରୁ ଅର୍ଥ ରାଶି ପ୍ରଦାନ କରି ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି । ତା ପୁଣି ଗୁରୁ ଦିବସ ଅବସରରେ । ଛାତ୍ରଛାତ୍ରୀ ମାନେ ଗୁରୁ ଦିବସ ଅବସରରେ ଗୁରୁଙ୍କୁ ପୂଜା କରୁଥିବା ବେଳେ ଜଣେ ଗୁରୁ ଶିଷ୍ୟ ମାନଙ୍କ ଭବିଷ୍ୟତ ପାଇଁ ହେଉ କି ଉତ୍ସାହିତ କରିବା ପାଇଁ ହେଉ ନିଜ ସମ୍ବଳ ଅନୁସାରେ ଆର୍ଥ ରାଶି ପ୍ରଦାନ କରି ସମାଜ ରେ ନିଜର ମହାନତାର ପରିଚୟ ଦେଇଛନ୍ତି । ପବିତ୍ର ଗୁରୁ ଦିବସ ଅବସରରେ ଚାରିଗୋଟି ବିଦ୍ୟାଳୟରେ ନିଜେ ପହଞ୍ଚି ବିଦ୍ୟାଳୟରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ୪ଜଣ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଅର୍ଥ ରାଶି ଚେକ ମାଧ୍ୟମରେ ପ୍ରଦାନ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ତନୁଶ୍ରୀ ଆଚାର୍ଯ୍ୟଙ୍କୁ ବିଦ୍ୟାଳୟ ପରିସରରେ ଆୟୋଜିତ ଗୁରୁ ଦିବସ ଉତ୍ସବରେ ୫ହଜାର ଟଙ୍କାର ଚେକ ପ୍ରଦାନ କରିଥିବା ବେଳେ ହବାକ ହାଇସ୍କୁଲ ପରିସରରେ ସେଇ ବିଦ୍ୟାଳୟର ଛାତ୍ର ଓସମାଁ ଅକତର ଅଲିଙ୍କୁ ତାଙ୍କ ବିଦ୍ୟାଳୟ ଉତ୍ସବରେ ନିଜେ ଉପସ୍ଥିତ ରହି ୨ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରାଚୀ ପ୍ରିୟଦର୍ଶିନୀ ମହାରଣାଙ୍କୁ ମଧ୍ୟ ୨ହଜାର ଟଙ୍କାର ଚେକ ତାଙ୍କ ବିଦ୍ୟାଳୟ ପରିସରରେ ପ୍ରଦାନ କରିଥିଲେ । ସ୍ୱାମୀ ବିବେକାନନ୍ଦ ଶିକ୍ଷା ଜେନ୍ଦ୍ରର ଛାତ୍ର ପ୍ରଜ୍ଞାନ ପ୍ରଭାସ ସାହୁଙ୍କୁ ସେଇ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ୨ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏହିଭଳି ମହନୀୟ କାର୍ଯ୍ୟ ପାଇଁ ବଳରାମ ସାରକୁ ସବୁ ମହଲରେ ପ୍ରଶଂସାପାତ୍ର ହୋଇପାରିଛନ୍ତି । ଯାହାଙ୍କ ନିଶା ଶିକ୍ଷାଦାନ ସେଇଭଳି ଜଣେ ଶିକ୍ଷକ ଛାତ୍ରଛାତ୍ରୀ ଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ଏହି ସମାଜରେ କିଛି କମ କଥା ନୁହଁ । ଆମ ସମାଜରେ ଶିକ୍ଷକତାରୁ ଅବସର ନେବା ପରେ କିଏ ରାଜନୀତିରେ ପ୍ରବେଶ କରୁଛନ୍ତି ତ କିଏ ବ୍ୟବସାୟ କରୁଛନ୍ତି ତ କିଏ ନିଜ ପରିବାରରେ ବ୍ୟସ୍ତ ରହୁଥିବା ବେଳେ ବଳରାମ ସାହୁ ଏହାର ଏକ ବ୍ୟତିକ୍ରମ ।