ବାଲିଗୁଡ଼ା: ଆଜି ସ୍ବାଧୀନତା ସଂଗ୍ରାମୀ, ସମୃଦ୍ଧ ଓଡ଼ିଶାର ନିର୍ମାତା,ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ମହାସିଙ୍ଗି ସ୍ଥିତ ବିଜୁ ଜନତା ଦଳର କାର୍ଯ୍ୟାଳୟ ପରିସରରେ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ବିଜେଡ଼ି ଉପ ସଭାପତି ତଥା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ପୁର୍ବତନ ବିଧାୟକ ରାଜୀବ ପାତ୍ରଙ୍କ ସମେତ ନିର୍ବାଚନ ମଣ୍ଡଳୀର (ବାଲିଗୁଡ଼ା,କ.ନୁଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼) ଚାରୋଟି ବ୍ଲକର ବ୍ଲକ୍ ଅଧ୍ୟକ୍ଷ, ଅଧ୍ୟକ୍ଷା,ସରପଞ୍ଚ, ସମିତିସଭ୍ୟ,ସଭ୍ୟା ଏବଂ ଶତାଧିକ ବିଜୁ ପ୍ରେମୀ ସାମିଲ୍ ହୋଇଥିଲେ । ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀରେ ବିଜୁ ବାବୁଙ୍କ ସେଇ ବୀର ଗାଥାକୁ ମନେପକାଇବା ସହ ଓଡ଼ିଶା ଏବଂ ଓଡ଼ିଆଙ୍କ ପାଇଁ ଅତିତରେ ବିଜୁ ବାବୁଙ୍କ କୀର୍ତ୍ତିକୁ ମନେ ପକାଇଛନ୍ତି ବିଜୁ ପ୍ରେମୀ । ବିଜୁ ବାବୁଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ତାଙ୍କ ସୁପୁତ୍ର ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବାସୀଙ୍କ ପାଇଁ ଅନେକ କିଛି କରିଛନ୍ତି । ବର୍ତ୍ତମାନ ଆମେ ସରକାରରେ ନଥିଲେ ମଧ୍ୟ ଜନସାଧାରଣଙ୍କ ସେବା ଆମେ ଜାରି ରଖିବା ପାଇଁ ସଂକଳ୍ପ ନେଇଛୁ ,ଜନ ବିରୋଧୀ ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି ଏବଂ ଆଗାମୀ ଦିନରେ ପୌର, ପଞ୍ଚାୟତ ଦଖଲ କରିବା ସହ ୨୯ ସାଧାରଣ ନିର୍ବାଚନରେ ମଧ୍ୟ ବାଜିମାତ୍ କରିବ ବୋଲି କହିଛନ୍ତି ଜିଲ୍ଲା ବିଜେଡ଼ି ଉପ ସଭାପତି ଟୁନା ଦାସ ।