ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଥାଇ ମଧ୍ୟ ଉପେକ୍ଷିତ ରହିଯାଉଛି ଧନକଉଡା ବ୍ଲକ ଅଞ୍ଚଳ । ସେଠାରେ ଅପରାଧିକ କାର୍ଯ୍ୟକଳାପ ଦୈନନ୍ଦିନ ବୃଦ୍ଧି ପାଉଛି । ଏହାର ସୁଯୋଗ ନେଇ ସେଠାକୁ ଏବେ ବାଂଲାଦେଶୀ ଅନୁପ୍ରବେଶକାରୀ ମଧ୍ୟ ଆସିବା ଦେଖାଯାଉଛି । ଏହି ପରିପ୍ରେକ୍ଷୀରେ ଧନକଉଡା ବାସିନ୍ଦା ସମ୍ବଲପୁର ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କୁ ସାକ୍ଷାତ କରି ତାଙ୍କ ଅଞ୍ଚଳରେ ଏକ ଫାଣ୍ଡି ସ୍ଥାପନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ତାଙ୍କ ଅଞ୍ଚଳ ଅସାମାଜିକ ତତ୍ତ୍ୱଙ୍କ ଚରାଭୂମୀ ହୋଇଯାଇଛି । ମାରପିଟ୍, ଲୁଟ ଓ ଚୋରି ସେଠାରେ ଦୈନନ୍ଦିନ ଘଟଣା ହୋଇଯାଇଛି ଓ ସରଳ ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି କରୁଛି । ଏପରି କି ମହିଳାମାନେ ଦିନରେ ମଧ୍ୟ ଘରୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି । ବିଗତ ଦିନରେ ସେଠାରେ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି । ଆଗରୁ ଉକ୍ତ ଅଞ୍ଚଳରେ ଏକ ଫାଣ୍ଡି ସ୍ଥାପନ ପାଇଁ ଦାବି କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ପୁଲିସ ଏଥି ପ୍ରତି ଗୁରୁତ୍ୱ ଦେଇ ନଥିଲେ । ସେଠାରେ ସ୍ଥିତି କିନ୍ତୁ ଏତେ ବିପନ୍ନ ହୋଇଗଲାଣି ଯେ ବର୍ତ୍ତମାନ ଏକ ଫାଣ୍ଡି ସ୍ଥାପନ ସହିତ ନିୟମିତ ଭାବେ ପୁଲିସ ପେଟ୍ରୋଲିଙ୍ଗ ପାଇଁ ଜନସାଧାରଣ ଦାବି କରୁଛନ୍ତି ।