ଭୁବନେଶ୍ୱର : ବିଶ୍ୱ, ଦେଶ ତଥା ରାଜ୍ୟ ମହାମାରୀ କୋଭିଡ୍-୧୯ର ସଂକଟ ସମୟ ଦେଇ ଗତି କରୁଛି । ଏଭଳି ସମୟରେ ରକ୍ତ ସଂଗ୍ରହରେ ତିରୋଟ ଦେଖାଦେଇଛି । ଥାଲାସେମିଆ ତଥା ଅନ୍ୟ ରୋଗର ଶିକାର ହେଉଥିବା ପାଖାପାଖି ୮୦ ହଜାର ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହରେ ବାଧା ସୃଷ୍ଟି ହୋଇଛି । ରାଜ୍ୟରେ ୫୬ଟି ରକ୍ତ ଭଣ୍ଡାର ପାଇଁ ପ୍ରାୟ ଚାରି ଲକ୍ଷ ୟୁନିଟ୍ ରକ୍ତର ଆବଶ୍ୟକତା ଥାଏ । କିନ୍ତୁ ଏଭଳି ସମୟରେ ରକ୍ତ ସଂଗ୍ରହରେ ବାଧା ଉପୁଜିଥିବାରୁ “ଓଡ଼ିଶା ମୋ ପରିବାର’ ତଥା ବିଜେଡ଼ିର ସଂଗଠନ ପକ୍ଷରୁ ରକ୍ତ ସଂଗ୍ରହକୁ ଅଗ୍ରାଧିକାର ଦିଆଯାଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ଏକ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଧାର୍ଯ୍ୟ ଦେଇଥିବା ବେଳେ “ଓଡ଼ିଶା ମୋ ପରିବାର’ ଦୁଇ ଲକ୍ଷ ୟୁନିଟ୍ରୁ ଅଧିକ ସ୍ୱେଚ୍ଛାକୃତ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟଧାର୍ଯ୍ୟ କରିଛି । ଏଣୁ ଗତ ସପ୍ତାହରେ କଟକର ବାରବାଟୀ ଷ୍ଟାଡ଼ିୟମ ପରିସରରେ ରକ୍ତଦାନ ଶିବିର ଆରମ୍ଭ କରାଯାଇଛି ବୋଲି ବିଜେଡ଼ିର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି । ସେ କହିଛନ୍ତି, ବିଜେଡ଼ି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ସଂଗ୍ରହ କରି ବହୁ ଅମୂଲ୍ୟ ଜୀବନକୁ ବଞ୍ଚାଇବାରେ ସକ୍ଷମ ହୋଇଛି । ତେବେ ବର୍ତ୍ତମାନ ସମୟରେ ରକ୍ତ ସଂଗ୍ରହରେ ଧିମା ଦେଖାଦେଇଥିବାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରେିମୋ ପ୍ରତିଟି ଜୀବନକୁ ଗୁରୁତ୍ୱ ଦେଉଥିବାରୁ ମୋ ପରିବାର ମାଧ୍ୟମରେ ରକ୍ତ ସଂଗ୍ରହ ପାଇଁ ଆହ୍ୱାନ ଜଣାଇଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ “ଓଡ଼ିଶା ମୋ ପରିବାର’ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତଦାନ ସଂଗ୍ରହ ଆୟୋଜନ କରିବ । ଏଥିରେ ଦଳର ବିଧାୟକ ଓ ସାଂସଦମାନେ ସାମିଲ୍ ହୋଇ ରକ୍ତ ସଂଗ୍ରହକୁ ପ୍ରୋତ୍ସାହନ ଦେବା ପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ । ତେବେ ବିଜୁ ଯୁବ ବାହିନୀ ଏହି କାର୍ଯ୍ୟରେ ସାମିଲ୍ ହୋଇ ରକ୍ତଦାନକୁ ଆଗେଇ ଆସିବା ପାଇଁ ଜଣେ ସାମ୍ବାଦିକଙ୍କ ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ । ସେ କହିଥିଲେ, ସ୍ୱେଚ୍ଛାକୃତ ରକ୍ତ ସଂଗ୍ରହ ପାଇଁ ସବୁ ବର୍ଗକୁ ଆହ୍ୱାନ କରାଯାଉଛି । ଓଡ଼ିଶା ମୋ ପରିବାର କାର୍ଯ୍ୟାଳୟରେ ଆଜି ମଧ୍ୟାହ୍ନରେ ଆୟୋଜିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ଓ ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଊପସ୍ଥିତ ଥିଲେ ।