ଜହ୍ନାପଙ୍କ : ଦେଶ ତଥା ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି । ସେହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାପାଳ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନିୟମ କଡ଼ାକଡ଼ି କରିବା ସହିତ ବୌଦ୍ଧ ଜିଲ୍ଲାକୁ ଅପରାହ୍ନ ୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ । କିନ୍ତୁ ଲୋକେ ଏହାକୁ ମାନୁ ନଥିବା ପରିଲକ୍ଷିତ ହେଉଛି । ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ହୋଇଥିଲା ଏବଂ ବିନା ଜରୁରୀ କାମ ନଥିଲେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ଲୋକେ ଏହି ନିୟକୁୁ ମାନୁ ନାହାନ୍ତି । ସାପ୍ତାହିକ ସୋମବାର ବଜାର ପଦ୍ମନପୁରରେ ଲୋକଙ୍କ ଭିଡ଼ ଜମିଥିବା ସହ କେହି ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମଣ ଜୁଲାଇ ଓ ଅଗଷ୍ଟରେ ଅଧିକ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଠେଲା ଗାଡ଼ିରେ ଜଳଖିଆ ବିକ୍ରିକୁ ସଂପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଜହ୍ନାପଙ୍କ ଓ ନାରାୟଣ ନଗରରେ ଠେଲାରେ ତଥା କ୍ୟାବିନରେ ଜଳଖିଆ ବିକ୍ରି ହେଉଛି । ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପାଖରେ ଖବର ଥିଲେ ମଧ୍ୟ ସବୁ ଜାଣି ନଜାଣିଲାର ଅଭିନୟ କରୁଛି ଜିଲ୍ଲା ପ୍ରଶାସନ ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି ।