ବୌଦ୍ଧ:ତାମିଲନାଡୁ ରାଜ୍ୟକୁ କାମ କରିବାକୁ ଯାଇ ଲକଡାଉନରେ ଅଟକି ରହିଥିବା ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ କମଘାଟ ଅଞ୍ଚଳର ୫ଜଣ ଶ୍ରମିକ ଆଜି ଚାଲିଚାଲି ବଲାଙ୍ଗୀରରୁ ଗାଁକୁ ଆସିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏମାନେ ମାଲବାହୀ ଟ୍ରକ ସାହାଯ୍ୟରେ ତାମିଲନାଡୁ ରାଜ୍ୟରୁ ବଲାଙ୍ଗୀର ପର୍ଯ୍ୟନ୍ତ କୌଣସି ପ୍ରକାରେ ଚାଲିଆସିଥିଲେ । ବଲାଙ୍ଗୀରରେ ପହଞ୍ଚିବା ପରେ ଘରକୁ ଫେରିବାପାଇଁ ପାଦରେ ଚାଲିଚାଲି ପଳାଇ ଆସିଥିଲେ । ତେଲନଦୀ ଡେଇଁ କମଘାଟରେ ପହଞ୍ଚିବାପରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ସେମାନଙ୍କୁ ମୁଢି, ମିକ୍ସଚର, ବିସ୍କୁଟ ଓ ପିଇବା ପାଇଁ ଦେଇ କେନ୍ଦ୍ର ନିକଟରେ ଅଟକାଇ ରଖିଥିଲେ । ସେମାନଙ୍କୁ କେଉଁ କ୍ୱାରେଣ୍ଟାଇନରେ ରଖାଯିବ ଓ କି ପ୍ରକାର ବ୍ୟବସ୍ଥା କରାଯିବ ସେଥିପାଇଁ ବ୍ଲକ ପ୍ରଶାସନକୁ ରିପୋର୍ଟ କରାଯାଇଥିଲେ ମଧ୍ୟ ବହୁ ସମୟ ଧରି କେହି ନ ଆସିବାରୁ ସେମାନେ ଅଙ୍ଗନୱାଡି କେନ୍ଦ୍ରର ବାରଣ୍ଡାରେ ବସି ରହିଥିବା ଦେଖିବାକୁ ମିଳିଥିଲା ।