ଭୈରବୀଙ୍କ ଦାନବାକ୍ସ ଭାଙ୍ଗିବା ବେଳେ ଧରା ପଡିଲେ ଯୁବକ

ବୌଦ୍ଧ,୯/୧୦ – ବୌଦ୍ଧ ଜିଲ୍ଲା ପୁରୁଣାକଟକ ବିରାଜିତା ଶ୍ରୀ ଶ୍ରୀ ମା ଭୈରବୀ ଦେବୀଙ୍କ ମନ୍ଦିରରେ ଥିବା ଦାନ ବାକ୍ସ ଭାଙ୍ଗି ଆଜି ଭୋର ସମୟରେ ଚୋରୀ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକ ଧରା ପଡିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଦେବୀଙ୍କ ପୀଠରେ ଶାରଦୀୟ ଷୋହଳ ପୁଜା ଚାଲିଛି l ଏ ଅବସରରେ ପୁରୁଣା କଟକ ଗ୍ରାମ ପଂଚାୟତ ସାଲକଟା ଗ୍ରାମର ଜଣେ ଯୁବକ ରାତି ପ୍ରାୟ 3 ଘଣ୍ଟା ସମୟରେ ମନ୍ଦିର ପରିସରକୁ ଆସି ଦାନ ବାକ୍ସ ଭାଙ୍ଗି ଲୁଟ ଉଦ୍ୟମ କରୁଥିବା ବେଳେ ତାକୁ ସେଠାରେ ଥିବା ଭକ୍ତ ମାନେ ଦେଖିବାକୁ ପାଇଥିଲେ l ଯୁବକ ଜଣକ ଦଉଡି ପଲାଇବାକୁ ଚେଷ୍ଟା କରିଥିବା ସତ୍ବେ ତାକୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲେ | କିଛି ଦିନ ପୁର୍ବରୁ ମଧ୍ୟ ଚୋରୀ ଉଦ୍ୟମ ହୋଇଥିଲା ଓ ଚୋରକୁ ଧରିବା ପାଇଁ ସେହିଦିନ ଠାରୁ କିଛି ଭକ୍ତ ରାତି ବେଳା ଉଜାଗର ରହି ଦାନ ବାକ୍ସ ଉପରେ ନଜର ରଖୁଥିଲେ l ତେଣୁ ଆଜି ଚୋରକୁ ଗୋଡ଼ାଇ ଧରିବାରେ ସଫଳ ହୋଇଥିବା ପରିଚାଳନା କମିଟିର ସଭାପତି ସଲିଳ କୁମାର ଭୋକ୍ତା ସୂଚନା ଦେଇଛନ୍ତି l
ଚୋରୀ ଉଦ୍ୟମ କରୁଥିବା ଯୁବକଙ୍କୁ ମନ୍ଦିର ପରିସରରେ ଅଟକ ରଖି କମିଟି ତରଫରୁ ପୁରୁଣା କଟକ ଥାନା ପୋଲିସକୁ ଖବର୍ ଦିଆଯାଇଥିଲା l ପୋଲିସ୍ ଯୁବକଙ୍କୁ ନେଇ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି l

Comments (0)
Add Comment