ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ : ସର୍ବନିମ୍ନ ସେବାୟତରେ ହେବ ନୀତି !

ଭୁବନେଶ୍ୱର: କୋଭିଡ-୧୯ କରୋନା ମହାମାରୀ ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଶ୍ରୀଜିଉଙ୍କର ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡିଶା ହାଇକୋର୍ଟଙ୍କର ନିର୍ଦ୍ଦେଶ ମତେ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ସ୍ନାନଯାତ୍ରା ପାଇଁ ସର୍ବନିମ୍ନ ୧୦ଜଣ ନିଯୋଗ ସେବାୟତଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଏ ବିଷୟରେ ଆଲୋଚନା କରିଛି । ସୂଚନା ଅନୁଯାୟୀ ଆସନ୍ତା ୨୫ ତାରିଖ ସୁଦ୍ଧା କେଉଁ ସେବାୟତମାନେ ସ୍ନାନଯାତ୍ରାରେ ଭାଗ ନେବେ ସେମାନଙ୍କର ତାଲିକା ମୁଖ୍ୟ ପ୍ରଶାସକଙ୍କୁ ଦେବାକୁ ହେବ । ତାଲିକାଭୁକ୍ତ ସେବାୟତମାନଙ୍କ ବ୍ୟତୀତ ଅନ୍ୟ ସେବାୟତ ସ୍ନାନଯାତ୍ରାରେ ସାମିଲ ହୋଇପାରିବେ ନାହିଁ । ଏହା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସ୍ନାନଯାତ୍ରା ନେଇ ଦଇତାପତି ନିଯୋଗ ସହିତ ମଧ୍ୟ ଆଲୋଚନା କରାଯିବ । ବର୍ତ୍ତମାନର କଟକଣା ଅନୁଯାୟୀ ମନ୍ଦିର ବାହାରେ କିଛି କରିହେବ ନାହିଁ । ଏଣୁ ସୀମିତ ସେବାୟତଙ୍କ ମଧ୍ୟରେ ପ୍ରଭୁଙ୍କର ନୀତି, ସ୍ନାନଯାତ୍ରା କରାଯିବା ପାଇଁ ସ୍ଥିର ହୋଇଛି ।

Comments (0)
Add Comment