ଶ୍ରମିକଙ୍କ ମଜୁରୀ ଅର୍ଥ ହଡପ ଅଭିଯୋଗ ତଦନ୍ତ ଦାବି

ବୌଦ୍ଧ : କୃଷିବିଭାଗ ଅଧୀନରେ ଥିବା ବୌଦ୍ଧବ୍ଲକ ବଘିଆପଡା ଗ୍ରାମପଞ୍ଚାୟତ ପାଲଝାର ଫାର୍ମରେ ହେଉଥିବା ଦୁର୍ନୀତି ସବୁବେଳେ ଚର୍ଚ୍ଚାରେ ରହିଥାଏ । ଜିଲ୍ଲାମୁଖ୍ୟ କୃଷି ଅଧିକାରୀଙ୍କ ଠାରୁ ଆରମ୍ଭକରି ଫାର୍ମର କୃଷି ଓଭରସିଓର ଯାଏଁ ସମସ୍ତଙ୍କ ମିଲିଭଗତରେ ଦୁର୍ନୀତି ହେଉଥିବାରୁ ଯେତେ ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥାଏ । ଏହି ଫାର୍ମରେ ଶ୍ରମିକ ଭାବରେ କାମ କରୁଥିବା କନକପୁର, ବଘିଆପଡା, ଏରେଡା, ସାଲେସିଂ ଆଦି ଗ୍ରାମର ୧୮ଜଣ ଶ୍ରମିକ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭକରି କୃଷି ନିର୍ଦ୍ଦେଶକ, କୃଷିମନ୍ତ୍ରୀ, ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀ ବୌଦ୍ଧଙ୍କୁ ଲିଖିତ ଅଭିଯୋଗ କଲାପରେ ପାଲଝାର ଫାର୍ମ ଦୁର୍ନୀତିର ଆହୁରି ଅଧିକ ଗୁମର ଖୋଲିବାରେ ଲାଗିଛି । ଶ୍ରମିକ ମାନଙ୍କ ଅଭିଯୋଗ ଅନୁଯାୟୀ ପାଲଝାର ଫାର୍ମରେ କାମ କରୁଥିବା ଶ୍ରମିକଙ୍କ ଜମାଖାତାକୁ ସେମାନଙ୍କର ମଜୁରୀ ଆସିଥିଲା । ଫାର୍ମ ଓଭରସିଓର ସେହି ମଜୁରୀ ଟଙ୍କାରୁ ଶ୍ରମିକମାନଙ୍କ ଠାରୁ ଟଙ୍କା ମାଗୁଥିବା ଓ ଟଙ୍କା ନଦେଲେ କାମରୁ ବାହାର କରିଦେବେ ବୋଲି ଧମକଚମକ ଦେଉଥିବା ସେମାନେ ଲିଖିତ ଅଭିଯୋଗ କରିଛନ୍ତି । ଗରୀବ ଖଟିଖିଆଙ୍କ ମଜୁରୀ ଟଙ୍କାରେ ଭାଗ ବସାଉଥିବା ଶ୍ରୀ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଶ୍ରମିକଙ୍କଠାରୁ ନେଇଥିବା ଟଙ୍କାକୁ ତୁରନ୍ତ ଫେରସ୍ତ କରାଇବା ପାଇଁ ସେମାନେ ଦାବି କରିଥିବା ଜଣାପଡିଛି ।

Comments (0)
Add Comment