ସୁବର୍ଣ୍ଣପୁର: ବୈଶ୍ୱିକ କରୋନା ମହାମାରୀ କୋଭିଡ -୧୯ ବିରୋଧରେ ଭାରତର ଯୁଦ୍ଧ ପ୍ରାୟ ଦୁଇ ମାସ ହୋଇଯାଇଛି। ଜାତୀୟ ତାଲା ବନ୍ଦ ଆମର ପ୍ରବାସୀ ଶ୍ରମିକଙ୍କ ମାନଙ୍କ ଅସୁବିଧାକୁ ଦ୍ବିଗୁଣିତ କରିଛି। ଗଣମାଧ୍ୟମ ଗୁଡିକରେ ପ୍ରବାସୀ ଶ୍ରମିକମାନଙ୍କ ଅସୁବିଧା ବହନ କରୁଥିବା ହୃଦୟ ବିଦାରକ ଚିତ୍ର ସବୁ ଦେଖିବାକୁ ମିଳୁଛି। ପ୍ରବାସୀ ଶ୍ରମିକମାନେ ଯେପରି ଶାରୀରିକ ଏବଂ ମାନସିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦ। ସେମାନେ ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ କର୍ଣ୍ଣାଟକ ପରି ରାଜ୍ୟରୁ ଘରକୁ ଫେରିବାକୁ ରହିଛନ୍ତି। ଆମର ଓଡିଆ ପ୍ରବାସୀମାନେ ଖାଦ୍ୟ, ଔଷଧ, ପାନୀୟ ଜଳ ଏବଂ ଆଶ୍ରୟସ୍ଥଳ ପରି ମୌଳିକ ସୁବିଧା ବିନା ରହିଛନ୍ତି।
ପ୍ରବାସୀଙ୍କ ସୁବିଧା ପାଇଁ ଭାରତ ସରକାର ପୂର୍ବରୁ ଟ୍ରେନ୍ ଉପଲବ୍ଧ କରିସାରିଛନ୍ତି | ଶ୍ରମିକ ସ୍ପେଶାଲ୍ ରେଳ ମାଧ୍ୟମରେ ଲୋକଙ୍କ ନିଜ ରାଜ୍ୟକୁ ସୁଗମ ପ୍ରତ୍ୟାବର୍ତ୍ତନ ପାଇଁ ରେଳ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣୁ ସୁବର୍ଣ୍ଣପୁର ଜିଲ୍ଲାପାଳ ମଧ୍ୟ ରେଳ ବିଭାଗ ସହ ସମନ୍ୱୟ ରଖି ଜିଲ୍ଲାକୁ ଆସିବାକୁ ଥିବା ପ୍ରବାସୀ ଶ୍ରମିକଙ୍କ ତାଲିକା ପ୍ରଦାନ କରି ଆଣିବାର ବ୍ୟବସ୍ଥା କରନ୍ତୁ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା।
ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ନେତା ରାମ ଶଙ୍କର ଭୋଇ, ସୋନପୁର ନଗର ସଭାପତି ଜଗତଜ୍ୟୋତି ତ୍ରିପାଠୀ, ଦୈତାରି, ଥନାପତି, ସୁରେଶ ବିଶ୍ୱାଳ, ଗଙ୍ଗା ତରିଆ, ଯୁବମୋର୍ଚ୍ଚ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ରବିନାରାୟଣ ପାଢ଼ୀ, ସୁରୁବାବୁ ସାହୁ, ମହମ୍ମଦ ଟକି ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।