ଶ୍ରମିକ ବଦଳେ ମେସିନରେ ଚାଲିଛି ମନରେଗା କାମ !

କ.ନୂଆଗାଁ-ସମଗ୍ର ଦେଶରେ କରୋନା ମୁକାବିଲା ପାଇଁ ଲକଡାଉନ୍‌ ଚାଲିଥିବା ବେଳେ ଗରିବ ଶ୍ରମିକଙ୍କ ହାତକୁ କାମ ଯୋଗାଇବା ନିମନ୍ତେ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାକୁ ଗୁରୁତ୍ୱ ଦେଇ ଶ୍ରମିକମାନଙ୍କୁ କାମ ଯୋଗାଇବା ନିମନ୍ତେ ଘୋଷଣା ପରେ ଶ୍ରମିକମାନଙ୍କ ମୁହଁରେ ହସ ଫୁଟିଥିଲା । କିନ୍ତୁ ବାସ୍ତବରେ ଗ୍ରାମାଞ୍ଚଳରେ ଏହି ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହାର ଏକ ବାସ୍ତବ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକର ବଣ୍ଡଗୁଡା ପଞ୍ଚାୟତରେ ।

ମନରେଗା ଯୋଜନାରେ ସାତ ଲକ୍ଷ ଟଙ୍କା ବ୍ୟୟରେ ବଣ୍ଡଗୁଡା ପି.ଡବ୍ଲୁ.ଡି ରାସ୍ତାଠାରୁ ବିଲାବାଡି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନିମନ୍ତେ ଅଟକଳ ହୋଇଥିଲା । କିନ୍ତୁ ଏଠାରେ କୌଣସି ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାନଯାଇ ଜେସିବି ମେସିନ ଦ୍ୱାରା କାର୍ଯ୍ୟ ହୋଇଥିବାର ଦେଖିବାକୁ ମିଳିଛି । ଏ ସଂପର୍କରେ ବଣ୍ଡଗୁଡା ପଞ୍ଚାୟତ ନିର୍ବାହି ଅଧିକାରୀ ମତବ୍ୟକ୍ତ କରିଛନ୍ତି ଯେ,କ.ନୂଆଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ପରାମର୍ଶ କ୍ରମେ ମେସିନ୍‌ ଦ୍ୱାରା କାମ କରାଯାଉଛି । ମନରେଗା ଯୋଜନାରେ ବ୍ଲକ୍‌ ପ୍ରଶାସନର ମନମୂଖୀ କାର୍ଯ୍ୟକୁ କ.ନୂଆଗାଁର ସାମାଜିକ କର୍ମୀ ସରୋଜ କାନ୍ତ ପଟ୍ଟନାୟକ ଦୃଢ ନିନ୍ଦା କରିବା ସହ ହ୍ୱାଟ୍ସଆପ୍‌ ମାଧ୍ୟମରେ କନ୍ଧମାଳ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଅବଗତ କରାଇଛନ୍ତି ।

Comments (0)
Add Comment