ବୌଦ୍ଧ,୧୭/୫(ହୀ.ପ୍ର)- ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନେ ନିର୍ଦ୍ଧାରିତ ସମୟରେ ଗୃହ ନିର୍ମାଣ କାର୍ଯ୍ୟ ସାରିଲେ ସରକାର ସେମାନଙ୍କୁ ୨୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ମାତ୍ର କଣ୍ଟାମାଳ ବ୍ଲକରେ ନିର୍ଦ୍ଧାରିତ ସମୟରେ କାମ ସାରି ମଧ୍ୟ ମାସମାସ ଧରି ବ୍ଲକ କାର୍ଯ୍ୟାଳୟକୁ ଧାଉଁଥିଲେ ମଧ୍ୟ ହିତାଧିକାରୀ ପ୍ରୋତ୍ସାହନ ରାଶି ପାଇପାରୁନଥିବା ଅଭିଯୋଗ ହେଉଛି । ବ୍ଲକ କାର୍ଯ୍ୟାଳୟରେ ଥିବା କେତେକ ଅସାଧୁ କର୍ମଚାରୀ ଏ ଟଙ୍କା ରିଲିଜ କରାଇବାପାଇଁ ୩ହଜାର ଟଙ୍କା ଲେଖାଏଁ ହାତଗୁଞ୍ଜା ନେଉଥିବା ହିତାଧିକାରୀମାନେ ଅଭିଯୋଗ କରିଆସୁଛନ୍ତି ।
କାମ ସାରି ମଧ୍ୟ ପ୍ରୋତ୍ସାହନ ରାଶି ପାଇପାରିନଥିବା ଯୋଗିନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶାନ୍ତିପାଲି ଗ୍ରାମର ଜଣେ ହିତାଧିକାରୀ ପରମେଶ୍ୱର ଲେଙ୍କା କଣ୍ଟାମାଳ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏକା ସମୟରେ କିମ୍ବା ତାଙ୍କଠାରୁ ପଛରେ ଘର କରିଥିବା ହିତାଧିକାରୀମାନେ ପ୍ରୋତ୍ସାହନ ରାଶି ପାଇସାରିଥିଲେ ମଧ୍ୟ ତାଙ୍କୁ ମିଳିନଥିବା ନେଇ ବିଡିଓଙ୍କୁ ଅଭିଯୋଗ କରିଛନ୍ତି । ବ୍ଲକ ରେକର୍ଡରେ ତାଙ୍କୁ ପ୍ରୋତ୍ସାହନ ରାଶି ୨୦ ହଜାର ଟଙ୍କା ପୈଠ ହୋଇସାରିଥିବା ଉଲ୍ଲେଖ ରହିଥିବା ଦାୟିତ୍ୱରେ ଥିବା କର୍ମଚାରୀମାନେ କହିଥିଲେ ମଧ୍ୟ ତାଙ୍କର ବ୍ୟାଙ୍କ ଜମାଖାତାକୁ ଟଙ୍କା ଆସିନଥିବା ସେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ତଦନ୍ତ କରାଯାଇ ହିତାଧିକାରୀଙ୍କୁ ତାଙ୍କର ପ୍ରାପ୍ୟ ସପ୍ତାହେ ମଧ୍ୟରେ ଜମାଖାତାକୁ ପଠାଇ ଦିଆଯିବ ବୋଲି ବିଡିଓ ଆଶ୍ୱାସନା ଦେଇଥିବା ପ୍ରକାଶ ।