ସନ୍ଥକବିଙ୍କ ଚରିତ୍ର ସଂହାର ବିରୁଦ୍ଧରେ ଥାନାରେ ମାମଲା ରୁଜୁ

ସମ୍ବଲପୁର: ଲେଖନୀ ସ୍ୱତନ୍ତ୍ରତା ଆଳରେ ସନ୍ଥକବି ଭୀମଭୋଇଙ୍କ ଚରିତ୍ର ସଂହାର ଅଭିଯୋଗ ସାମନାକୁ ଆସିଛି । ଏହି ସନ୍ଦର୍ଭରେ ରେଢାଖୋଲ ଥାନାରେ ମାମଲା ଦାଏର ପାଇଁ ଆବେଦନ କରାଯାଇଛି । ଏଥିରେ କୁହାଯାଇଛି ଯେ ସନ୍ଥକବି ଭୀମ ଭୋଇ ହେଉଛନ୍ତି ଓଡିଶାର ଗର୍ବ ଓ ଗୌରବ । ଏକ ଗରିବ ପରିବାରରେ ଜନ୍ମ ନେବା ସହିତ ସେ ଜନ୍ମରୁ ଅନ୍ଧଥିଲେ । ତାଙ୍କର ଜୀବନ ଅତ୍ୟନ୍ତ ନିରାଡମ୍ବର ଓ ସରଳ ଥିଲା ଏହା ସମସ୍ତଙ୍କୁ ଜଣା । ତାଙ୍କୁ ଦିବ୍ୟ ଜ୍ଞାନ ମିଳିଲା ପରେ ସେ ମହିମା ଧର୍ମର ପ୍ରଚାର କରିଥିଲେ ଯାହା ଆଜିର ଦିନରେ ଓଡିଶା ସମେତ ଅନେକ ରାଜ୍ୟରେ ଏକ ଧାର୍ମିକ ମାନ୍ୟତା ପାଇଛି । ମହିମା ଧର୍ମର ଅନୁଗାମୀମାନଙ୍କ ପାଇଁ ଭୀମ ଭୋଇ ପରମ ପୂଜ୍ୟ ଓ ଭଗବାନ ସଦୃଶ । ଭୁବନେଶ୍ୱର ନିବାସୀ ଜଣେ ଲେଖକ କେଦାର ମିଶ୍ର ଯିଏ କି ଭୀମ ଭୋଇଙ୍କର ଚରିତ୍ର ଉପରେ ଅତ୍ୟନ୍ତ ଅରୁଚିକର ମିଥ୍ୟା ଓ ମହିମା ଧର୍ମକୁ ନ୍ୟୁନ କରିବାପାଇଁ ଏକ ଘୃଣିତ ପ୍ରୟାସ ତାଙ୍କର ଏକ ଇଂରାଜୀ ଲେଖା ମାଧ୍ୟମରେ ପ୍ରକାଶ କରିଛନ୍ତି । ଏହା ମହିମା ଧର୍ମରେ କୋଟିକୋଟି ଶ୍ରଦ୍ଧାଳୁଙ୍କ ସମେତ ଓଡିଶା ସମେତ ପଡୋଶୀ ଛତିଶଗଡ, ଝାରଖଣ୍ଡର ଅନେକ ଦଳିତ ବର୍ଗର ଲୋକମାନେ ଦିକ୍ଷୀତ ରହିଛନ୍ତି । ସେମାନେ ଭୀମ ଭୋଇଙ୍କୁ ଭଗବାନ ଭାବେ ମାନନ୍ତି । ଏହା ମହିମା ଧର୍ମ, ଭୀମ ଭୋଇ ଓ ସମଗ୍ର ଓଡିଆ ସମାଜ ବିରୋଧରେ ଚାଲିଥିବା ଏକ ଷଡଯନ୍ତ୍ରର ପ୍ରମାଣ । ଏପରି ଏକ ଷଡଯନ୍ତ୍ରରେ ବିଦେଶୀ ସଂସ୍ଥା ଓ ବିଶେଷ ଭାବରେ ଭାରତ ବିରୋଧୀ ଶକ୍ତିମାନଙ୍କର ସଂପୃକ୍ତି ରହିଛି । ଘଟଣାର ଉପଯୁକ୍ତ ତଦନ୍ତ ହେଲେ ସତ୍ୟାସତ୍ୟ ସାମନାକୁ ଆସିବ । ଭୀମଭୋଇ ତାଙ୍କ ଯୁବକ ବେଳେ ଜଣେ ଲେଡି କିଲର ଥିଲେ ବୋଲି ଶ୍ରୀ ମିଶ୍ର ଲେଖିଛନ୍ତି । ଏପରି ଲେଖିବା ପଛରେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ରହିଛି । ଜଣେ ଅନ୍ଧ ସନ୍ୟାସୀଙ୍କ ପ୍ରତି ଏପରି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ । ସେ ମହାଶୟଙ୍କ ସହିତ ସେହି ଲେଖାରେ ତାଙ୍କ ସହିତ ଜଣେ ଜର୍ମାନୀ ଲେଖକ ରହିଛନ୍ତି । ଏଣୁ ଏହି ଲେଖକଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ରେଢାଖୋଲ ଥାନା ଦାଏର କରିବା ସହିତ ତାଙ୍କ ଏହି ଆପତ୍ତିଜନକ ଲେଖାକୁ ଯଥାଶୀଘ୍ର ନିଷିଦ୍ଧ ଘୋଷଣା କରାଯାଉ ଓ ସମସ୍ତ ଷଡଯନ୍ତ୍ରର ଉପଯୁକ୍ତ ତଦନ୍ତ କରି ତାଙ୍କୁ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରାଯାଇଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାଖଲ ଏହି ଅଭିଯୋଗ ପତ୍ରରେ ଜିଲ୍ଲା ସଭାପତି ଗିରିଶ ପଟେଲ, ରେଙ୍ଗାଲି ବିଧାୟକ ନାଉରି ନାଏକ, ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ, ଦେବେନ୍ଦ୍ର ମହାପାତ୍ର, ବିଚିତ୍ରାନନ୍ଦ ସାହୁ, ଅଶ୍ୱିନୀ ମାଝୀ, ଶିବରାମ ସାହୁ, ରାମାନୁଜ ମହାପାତ୍ର, ଦିଲ୍ଲୀପ ପ୍ରଧାନ ଓ ଅନୀଲ ପୃଷ୍ଟି ପ୍ରମୁଖ ଦସ୍ତଖତ କରିଛନ୍ତି ।

Comments (0)
Add Comment