ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ “ଅମ୍ଫନ’

ଭୁବନେଶ୍ୱର: କେନ୍ଦ୍ର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ମହାବାତ୍ୟା ଅମ୍ଫନ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ । ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁଯାୟୀ ଏହା ବାଂଲାଦେଶ, ହାତୀଆ ଓ ପଶ୍ଚିମବଙ୍ଗର ଦୀଘା ମଧ୍ୟବର୍ତ୍ତୀ ସୁନ୍ଦରବନ ଅଂଚଳରେ ଲ୍ୟାଣ୍ଡଫଲ କରିବ । ବର୍ତ୍ତମାନ ମହାବାତ୍ୟା ଅମ୍ଫନ ତାହାର ପ୍ରଭା ଦୁର୍ବଳ ହେବା ପରେ ସ୍ଥଳଭାଗ ଆଡକୁ ଘଣ୍ଟାପ୍ରତି ୧୫ କି.ମି. ବେଗରେ ଗତି କରୁଛି । ଏହା ଆସନ୍ତାକାଲି ଅପରାହ୍ନ ବେଳକୁ ସ୍ଥଳଭାଗ ଛୁଇଁବା ନିଶ୍ଚିତ ବୋଲି ପାଣିପାଗ ବିଭାଗର ଆକଳନ ଦର୍ଶାଯାଇଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କି.ମି. ରହିବ । ଏହାର ପ୍ରଭାବରେ ଓଡିଶାରେ ଯେଉଁ କ୍ଷୟକ୍ଷତି ହେବ ସେ ସଂପର୍କରେ ଆଜି ସାମ୍ବାଦିକ ସମ୍ମିଳନୀ କରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଅମ୍ଫନ ପ୍ରଭାବରେ ଆଜି ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ହେଉଛି । ଏହା ସହିତ ୪୦ରୁ ୫୦ କି.ମି. ବେଗରେ ଏବେ ପବନ ବୋହୁଥିବା ସହିତ କ୍ରମଶଃ ଏହା ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ଲାଗି ରହିବ । ବର୍ଷାର ପରିମାଣ ମଧ୍ୟ କ୍ରମଶଃ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ତେବେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ଏହା ବେଶୀ ପ୍ରଭାବ ପକାଇବ । ଏହି ସମୟରେ ୧୧୦ରୁ ୧୨୦ କି.ମି. ବେଗରେ ସ୍ଥଳବିଶେଷରେ ୧୩୫ କି.ମି. ବେଗରେ ପବନ ବୋହିପାରେ ବୋଲି ଆକଳନ କରାଯାଉଛି । ବାତ୍ୟା ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲାରେ ଗତକାଲି ସଂଧ୍ୟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିରୋ କାଜୁଆଲିଟି ଦୃଷ୍ଟିରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଅପରାହ୍ନ ସୁଦ୍ଧା ସମସ୍ତ ତଳିଆ ଅଂଚଳର ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯିବ । ଏପର୍ଯ୍ୟନ୍ତ ପ୍ରାୟ ୫ଶହରୁ ଅଧିକ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇସାରିଲାଣି । ବାତ୍ୟା ଦୃଷ୍ଟିରୁ ଏହି ସବୁ ଜିଲ୍ଲାମାନଙ୍କୁ ୧୫ଟି ଓଡ୍ରାଫ ଓ ୧୫ଟି ଏନ୍‌ଡିଆରଏଫ୍ ଟିମ ପଠାଯାଇଛି । ଜଗତସିଂହପୁର ଜିଲ୍ଲାକୁ ମଧ୍ୟ ଗୋଟିଏ ଏନ୍‌ଡିଆରଏଫ୍ ଟିମ ମଧ୍ୟ ପଠାଯାଇଛି । ଏହା ସହିତ ୨୧୭ଟି ଅଗ୍ନିଶମ ଟିମକୁ ମଧ୍ୟ ଜାଗତିଆର କରାଯାଇଛି । ଏହାବ୍ୟତୀତ ଓଡିଶା ବନ ଉନ୍ନୟନ ନିଗମ ୭୫ଟି ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ରାଜ୍ୟ ସରକାରଙ୍କ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳ ସଂପଦ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ସମ୍ଭାବ୍ୟ ବାତ୍ୟା ଏବଂ ବର୍ଷାଜନିତ ପରିସ୍ଥିତିକୁ ମୁକାବିଲା ପାଇଁ ସରକାରୀ କଳ ପ୍ରସ୍ତୁତ ହୋଇଛି । ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଦ୍ୟୁତ ସେବା ପ୍ରଭାବିତ ହେଲେ ଡିଜି ସେଟର ବ୍ୟବସ୍ଥା ସହିତ ଜଳଯୋଗାଣ ପାଇଁ ପାଣିଟାଙ୍କି ମଧ୍ୟ ପ୍ରସ୍ତୁତ କରାଯାଇଛି । ବାତ୍ୟା ସମୟରେ ପ୍ରଶାସନର ନିୟମକୁ ମାନି ଲୋକେ ସହଯୋଗ କରିବା ପାଇଁ ଏସ୍‌ଆରସି ସତର୍କ କରାଇଛନ୍ତି ।

Comments (0)
Add Comment