ବୌଦ୍ଧ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ

ବୌଦ୍ଧ : ଗତ ରାତି ପ୍ରାୟ ୧୧ ଘଣ୍ଟା ସମୟରେ କାଳବୈଶାଖୀ ଯୋଗୁଁ ପ୍ରବଳ ଝଡ ତୋଫାନ ହୋଇଥିବାରୁ ବୌଦ୍ଧ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଚାଳଛପର ଉଡିଯିବା ସହିତ ଟାଇଲ ଓ ଆଜବେଷ୍ଟସମାନ ଭାଙ୍ଗିଯାଇଛି । ଅନେକ ସ୍ଥାନରେ ବଡବଜ ଗଛ ମାନ ଉପୁଡି ପଡିବା ଓ ଡାଳ ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି । ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବହୁ ଦିନର ପୁରୁଣା ଗଛଗୁଡିକ ଭାଙ୍ଗି ଯାଇଥିବା ସହ ପରିସରରେ ରଖାଯାଇଥିବା ବିଦ୍ୟୁତ ବିଭାଗର ଏକ ବଲୋରୋ ଗାଡି ଉପରେ ନିମ୍ବଗଛର ଡାଳ ଛିଣ୍ଡି ପଡିଥିଲା । ବୌଦ୍ଧ ସହରରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଲିଛି ।


ବୌଦ୍ଧ ବ୍ଲକର ମୁଣ୍ଡିପଦର, ତାଳସରଡା, ବହିରା, ବାଉଁଶୁଣୀ,ଅଁଳାପାଲି, ମନୁପାଲି, କସରୁବନ୍ଧ, ରକ୍ସା, ଖଲିଆପାଲି ଗ୍ରାମ ପଞ୍ଚାୟତ ଅଂଚଳର କ୍ଷୟକ୍ଷତି ଅଧିକ ହୋଇଛି । ଅନେକ ଘରର ଚାଳ ପବନରେ ଉଡିଯିବା ସହ ବର୍ଷା ଯୋଗୁଁ ଘରର ସମସ୍ତ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳରେ ତଦନ୍ତ କରି କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।


ସେହିପରି ବିଦ୍ୟୁତ ବିଭାଗର ଅନେକ କ୍ଷତି ହୋଇଛି । ଅନେକ ସ୍ଥାନରେ ବିଦ୍ୟୁତ ତାର ଗୁଡିକ ଛିଣ୍ଡି ପଡିଥିବା ବେଳେ ଝଡ ପରେ ପରେ ବୌଦ୍ଧ ସହର ସମେତ ସମଗ୍ର ଗ୍ରାମାଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

Comments (0)
Add Comment