ପ୍ରଖ୍ୟାତ ନ୍ୟୁରୋ ସର୍ଜନ ସନାତନ ରଥଙ୍କ ପରଲୋକ

କଟକ:ଦେଶର ସୁନାମଧନ୍ୟ ପ୍ରଖ୍ୟାତ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା । ପ୍ରଫେସର ଡା. ରଥ କଟକ ତୁଳସୀପୁରସ୍ଥିତ କନିକାଛକ ନିଜ ବାସଭବନରେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ । ଆଜି ସକାଳ ୧୦ଟା ସମୟରେ ତାଙ୍କୁ ହୃଦଘାତ ଆସିଥିଲା । ସେ ଚିରଦିନ ପାଇଁ ଆଖି ବୁଜିଦେଇଥିଲେ । କଟକଜିଲ୍ଲା ବଡମ୍ବା ନରସିଂହପୁର ଅନ୍ତର୍ଗତ ଆଟେଣ୍ଡା ଗ୍ରାମରେ ୧୯୩୪ ଜୁଲାଇ ୨୫ରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୫୭ ମସିହାରେ ସେ ଏମବିବିଏସ ପାଶ୍ କରିବାପରେ ୧୯୬୨ ମସିହାରେ ପାଟଣାରୁ ଏମ୍ ଏସ୍ ସର୍ଜନ ୧୯୬୫ରେ ସିଏମସି ଭେଲୋରରୁ ନ୍ୟୁରୋ ସର୍ଜରୀରେ ଏମଏସ୍ ଡିଗ୍ରୀ ହାସଲ କରିଥିଲେ ।
ଛାତ୍ର ଜୀବନରେ ସେ ଅତ୍ୟନ୍ତ ମେଧାବୀ ଥିଲେ । ସେବାକୁ ଜୀବନର ବ୍ରତ ଭାବେ ପାଳନକରି ସେ ସାରାଜୀବନ ରୋଗୀ ସେବାରେ ନିୟୋଜିତ କରିଥିଲେ । ୧୯୯୪ ମସିହାରେ ଡା. ରଥ ନ୍ୟୁରୋଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କରି ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ବହୁ ବୁଦ୍ଧିଜୀବୀ ଶୋକ ପ୍ରକାଶ କରିଥିବାବେଳେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Comments (0)
Add Comment