ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳ

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି ପୁନର୍ବାର ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ଏ ସଂପର୍କରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ପରେ କହିଛନ୍ତି ଯେ, ବାତ୍ୟା ଅମ୍ଫନ ପାଇଁ ପରୀକ୍ଷା ଖାତା ମୂଲ୍ୟାୟନ ଘୁଞ୍ଚିଛି । ଆଜି କିମ୍ବା ୨ ଦିନ ମଧ୍ୟରେ କେଉଁ ତାରିଖରେ ମୂଲ୍ୟାୟନ କରାଯିବ ତାହା ଘୋଷଣା ହେବ । ମୂଲ୍ୟାୟନ ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଫଳ ପ୍ରକାଶ ପାଇଁ ଉଦ୍ୟମ ହେବ । ଖାତା ମୂଲ୍ୟାୟନ ତ୍ରୁଟିଶୂନ୍ୟ ଓ ଫଳ ପ୍ରକାଶନ ନିର୍ଭୁଲ ପାଇଁ ସମସ୍ତ ବୈଷୟିକ ପ୍ରକ୍ରିୟାର ସାହାଯ୍ୟ ନିଆଯାଉଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମେ ମେ ୨୦ ତାରିଖରେ, ପରେ ୨୧ ତାରିଖରେ ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ମହାବାତ୍ୟା ଅମ୍ଫନ ଏ ସବୁକୁ ବିଗାଡି ଦେଇଛି । ତେବେ ବାତ୍ୟା ଯିବା ପରେ ପୁଣି ମୂଲ୍ୟାୟନ ତାରିଖ ଧାର୍ଯ୍ୟ ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଏଥିପାଇଁ ୬୦ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ମାଟ୍ରିକ କେନ୍ଦ୍ର ପାଇଁ ୫୦ଟି, ଏସ୍‌ଓଏସ୍‌ସି ପାଇଁ ୪ଟି, ମଧ୍ୟମା ଖାତା ପାଇଁ ୪, ସ୍କ୍ରିପ୍ଟ ପାଇଁ ୨ଟି କେନ୍ଦ୍ର କରାଯାଇଛି । ଦୁଇଟି ପର୍ଯ୍ୟାୟରେ ଓ ୯ଟି ବିଷୟରେ ଖାତା ମୂଲ୍ୟାୟନ ହେବ । ପ୍ରଥମ ପର୍ଯ୍ୟାୟରେ ୪ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ବିଷୟର ଖାତା ଦେଖାହେବ । ପ୍ରତି ପର୍ଯ୍ୟାୟରେ ୨ଶହ ମୂଲ୍ୟୟନକାରୀ ପରୀକ୍ଷକ ଖାତା ଦେଖିବାକୁ ଆସିବେ । କୋଭିଡ ୧୯ ଗାଇଡଲାଇନ ଆଧାରରେ ଖାତା ଦେଖାହେବ । ଖାତା ଦେଖା ୨୫ଦିନ ମଧ୍ୟରେ ଶେଷ କରି ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ ପାଇଁ ବ୍ୟବସ୍ଥା ହେବ । ଜିଲ୍ଲା ଚିକିତ୍ସାଧିକାରୀମାନଙ୍କୁ ମୂଲ୍ୟାୟନ ପ୍ରକ୍ରିୟାର ତଦାରଖ ଓ ଖାତା ଦେଖା କେନ୍ଦ୍ରକୁ ବିଶୋଧନ କରାଯିବା ପାଇଁ ଦାୟିତ୍ୱ ଦିଆଯାଇଛି ।

Comments (0)
Add Comment