ବୌଦ୍ଧ ଜିଲ୍ଲାରେ ରବି ଧାନ କ୍ରୟ ମଣ୍ଡିର ଶୁଭାରମ୍ଭ

ବୌଦ୍ଧ:-ବୌଦ୍ଧ ଜିଲ୍ଲାରେ ରବି ଧାନ କ୍ରୟ ପ୍ରକ୍ରିୟାର ଶୁଭାରମ୍ଭ କଣ୍ଟାମାଳ ବ୍ଲକ ର ମନମୁଣ୍ଡା ଓ ହରଭଙ୍ଗା ବ୍ଲକ ର ବିରନରସିଂହପୁର ମାର୍କେଟୟାର୍ଡ ରେ ପ୍ରଥମେ ହୋଇଛି l ବିରନରସିଂହପୁର ମାର୍କେଟ ୟାର୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ରାଜ୍ୟ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂଜାର୍ଚ୍ଚନା କରି ଧାନକ୍ରୟର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ହରଭଙ୍ଗା ବିଡ଼ିଓ ବିଜୟ ପ୍ରଧାନ, ତହସିଲଦାର କର୍ଣ୍ଣ ସୁନା, ଜିଲ୍ଲାପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ସମବେତ ଶତାଧିକ ଚାଷୀ, ଜନପ୍ରତିନିଧି, ପ୍ୟାକ୍ସ କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟ ସଚେତକ କହିଥିଲେ ଯେ, ଚାଷୀଙ୍କ ଉତ୍ପାଦିତ ଧାନର ଉପଯୁକ୍ତ ମୂଲ୍ୟ ପ୍ରଦାନ ଏବଂ କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ସରକାରଙ୍କ ପ୍ରାଥମିକତା। ଜିଲ୍ଲାର ଚାଷୀମାନେ କିଭଳି ସୁରୁଖୁରୁ ରେ ନିଜ ଧାନ ବିକ୍ରି କରିବେ ଦେଖିବା ସହିତ ମଣ୍ଡି ମାନଙ୍କରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l

ସୂଚନାଯୋଗ୍ୟ ଯେରବି ଧାନ ପାଇଁ ଜିଲ୍ଲାରେ ୧୮୫୫୦୦ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଥିବା ବେଳେ 24ଟି ପ୍ୟାକ୍ସ ରେ 13ଜଣ ମିଲର୍ସ ଧାନ କିଣିବେl ବିରନରସିଂହ ପୁର ମାର୍କେଟୟାର୍ଡ଼ ରେ ଶାମ୍ପୋଚ ଓ ମଥୁରା ପ୍ୟାକ୍ସ ପକ୍ଷରୁ ଧାନ କ୍ରୟ ହେବାକୁ ଥିବା ବେଳେ ସମ୍ପୋଚ ପ୍ୟାକ୍ସ ରେ 421 ଓ ମଥୁରା ପ୍ୟାକ୍ସ ରେ 241 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଥିବା ଜଣା ପଡିଛି l ସେହିପରି ଆଜି ମନମୁଣ୍ଡା ମାର୍କେଟ ୟାର୍ଡ ରେ ବୌଦ୍ଧ ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦାଙ୍କ ଉପସ୍ଥିତି ରେ ଧାନ କ୍ରୟ ଆରମ୍ଭ ହୋଇଛି l

Comments (0)
Add Comment