୩ ଲକ୍ଷ ୫୦ ହଜାର ଟଙ୍କାରେ ପାଞ୍ଚୋଟି ବସ୍ ଭଡ଼ା : ଅଧାବାଟରେ ପ୍ରବାସୀଙ୍କୁ ଓହ୍ଲାଇ ଚାଲିଗଲା ବସ୍

ବାଲିଗୁଡ଼ା: ପୁଣି ସାମ୍ନାକୁ ଆସିଲା ପ୍ରବାସୀ ଓଡ଼ିଆଙ୍କ ଦୁଃଖ । ୩ଲକ୍ଷ ୫୦ ହଜାର ଟଙ୍କା ରେ ପାଞ୍ଚୋଟି ବସ୍ ଭଡ଼ା କରି ତାମିଲନାଡ଼ୁରୁ ୫୦ଜଣ ପ୍ରବାସୀ ଓଡ଼ିଆ ନିଜ ଭିଟାମାଟି କଳାହାଣ୍ଡି ଜିଲ୍ଲା M.ରାମପୁର ଅଭିମୁଖେ ବାହାରିଥିଲେ । ହେଲେ ଗାଁ ପହଁଚିବା ପୂର୍ବରୁ ଅଧାବାଟରେ ବସ୍ ରୁ ପ୍ରବାସୀଙ୍କୁ ଓହ୍ଲାଇ ବସ୍ ପଳେଇଥିବା ଅଭିଯୋଗ କରିଛନ୍ତି ପ୍ରବାସୀ । କନ୍ଧମାଳ ଜ଼ିଲ୍ଲା କୋଟଗଡ଼ ଥାନା ବଣ୍ଡାପିପିଲି ନିକଟରେ ପ୍ରବାସୀଙ୍କୁ ବସ୍ ରୁ ଓହ୍ଲାଇ ବସ୍ ଫେରିଯାଇଥିବା ବେଳେ ଉପାୟ ନପାଇ ସମସ୍ତ ପ୍ରବାସୀ ବାଧ୍ୟହୋଇ ପୁଣି ସେଠାରୁ ଚାଲିଚାଲି ଗାଁ ଅଭିମୁଖେ ବାହାରିଥିଲେ । ଖବରପାଇ କୋଟଗଡ଼ ଥାନା ଅଧିକାରୀ ହରମୋହନ ନାୟକ ନିଜ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଁଚିଥିଲେ । ସମସ୍ତ ପ୍ରବାସୀ ଙ୍କୁ ନେଇ ଲାସେରୀ ସ୍କୁଲରେ ରଖିବାସହ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇଛନ୍ତି । ପ୍ରବାସୀଙ୍କ ଖାଇବା ପିଇବା ବୁଝିବା ସହ ସେମାନଙ୍କୁ ନିଜ ଗାଁ କୁ ପଠାଇବାର ବନ୍ଦୋବସ୍ତ କରାଯାଉଛି ବୋଲି କହିଛନ୍ତି ଥାନା ଅଧିକାରୀ ହରମୋହନ ନାୟକ l ସେପଟେ ଏଭଳି ପରିସ୍ଥିତିରେ ଥାନା ଅଧିକାରୀ ପାଖରେ ପହଁଚି ପ୍ରବାସୀଙ୍କ ଭଲମନ୍ଦ ବୁଝିବାସହ ସହଯୋଗର ହାତ ବଢ଼ାଇଥିବାରୁ ଥାନା ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି ପ୍ରବାସୀ ଓଡ଼ିଆ ।

Comments (0)
Add Comment