କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକ ଘୁନେଶ ପଂଚାୟତ କାଦୋବେଡା ଗ୍ରାମର ଚାଷୀ ରେଚକ ବନଛୋର(୬୦) ବିଷ ପିଇ ଆତ୍ମହତ୍ୟା କରିଥିବାରୁ ବିଜେପି ପ୍ରତିନିଧ ଦଳ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନ ଜଣାଇଛନ୍ତି । ମୃତକଙ୍କ ପତ୍ନୀ ପାର୍ବତୀଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଜଣେ ଭୂମିହୀନ ଚାଷୀ । ଚାଷ ଜମି ନଥିବାରୁ ଗାଁର ଗାଧୁ ନାଗ ଓ ଧନଞ୍ଜୟ ଭୋଇଙ୍କ ଜମିରେ ଠିକା ଆକାରରେ ଚାଷ କରନ୍ତି । ଚାଷ ପାଇଁ ଆବଶ୍ୟକୀୟ ସାର, ଔଷଧ ଓ ମଜୁରୀ ପାଇଁ ଘୁନେଶ ଗାଁର ଗୁପ୍ତେଶ୍ୱର ସଗରିଆ ଓ ବଡ଼ବାକିର ରାଜକିଶୋର ସାହୁଙ୍କଠାରୁ ଟଙ୍କା କରଜ ରୂପେ ଆଣିଥିଲେ । ବର୍ଷା ଅଭାବରୁ ଫସଲ ନଷ୍ଟ ଓ ଟଙ୍କା ଫେରାଇବା ବିଷୟକୁ ନେଇ କିଛି ଦିନରୁ ଅତ୍ୟଧିକ ମାନସି ଚାପ ରହିଥିବାରୁ ବିଷ ପିଇ ଆତ୍ମହତ୍ୟା କରିଥିବା କଥା କହିଥିଲେ । ମରୁଡି ପ୍ରଭାବିତ ଅଞ୍ଚଳରେ ଏହି ପ୍ରକାର ଆତ୍ମହତ୍ୟା ଘଟଣାକୁ ବିଜେପିର ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେବ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, କୃଷକ ମୋର୍ଚ୍ଚ଼ା ସଭାପତି ଲକ୍ଷ୍ମଣ ବାଗ ସହ ଅନ୍ୟକର୍ମୀମାନେ ଉକ୍ତ ପରିବାର ପ୍ରତି ସମବେଦନା ଜଣେଇବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଏହି ଗରିବ ପରିବାରକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଶ୍ୱାସନ ଦେଇଛନ୍ତି । ଏଥି ସହ ବଲାଙ୍ଗୀର ଜିଲ୍ଲାକୁ ମରୁଡି ଘୋଷିତ କରିବା, ଚାଷୀଙ୍କ କ୍ଷୟକ୍ଷତି ପୂରଣ ଓ ଚାଷୀଋଣ ଛାଡ଼ ନ ହେଲେ ଚାଷୀ ଆତ୍ମହତ୍ୟା ଘଟଣା ନିକଟ ଭବିଷ୍ୟତରେ ବଢିବାର ଆଶଙ୍କା ରହିଛି ବୋଲି କହିଛନ୍ତି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ବିଜେପି ନଗର ସଭାପତି ବେଦବ୍ୟାସ ନାଗ ସହ ରାଜେଶ ଅଗ୍ରୱାଲ, ବିଦେଶୀ ବେହେରା ।