ଭଗବାନ ଭରସାରେ ଯାଆଁଳା ଭାଇ ଜଗାବଳିଆ

ବୌଦ୍ଧ : ବାପା ମା ନାଁ ଦେଇଥିଲେ ଜଗାବଳିଆ । ଯାଆଁଳା ପୁଅ ଦୁଇଟିକୁ କୋଳରେ ପାଇ ଦେଖିଥିଲେ ଅନେକ ସ୍ୱପ୍ନ । ଖୁସିରେ ହୋଇଥିଲେ ଆତ୍ମହରା । ଆସ୍ତେଆସ୍ତେ ବୟସ ବଢିବା ପରେ ବିଦ୍ୟାଳୟରେ ଖଡି ଛୁଆଁଇ ପାଠପଢା ଆରମ୍ଭ କରାଇଥିଲେ । ସବୁ ଠିକଠାକ୍ ଚାଲିଥିଲା । ପଞ୍ଚମଶ୍ରେଣୀ ଯାଏଁ ପାଠ ପଢି ସାରିଥିଲେ ଜଗାବଳିଆ । ହଠାତ୍ ପିତାମାତାଙ୍କ ସବୁ ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା । ଅଳ୍ପଦିନର ବ୍ୟବଧାନ ଭିତରେ ଅଚଳ ହୋଇଯାଇଥିଲା ଦୁଇଭାଇଙ୍କ ଗୋଡ । ପାଠପଢାରେ ବନ୍ଧାହେଲା ଡୋରି । ଧାଁ ଦଉଡ କରି ସାଙ୍ଗସାଥୀଙ୍କ ମେଳରେ ଖେଳକୁଦ କରିବା ବଦଳରେ ଗୁରୁଣ୍ଡି ଗୁରୁଣ୍ଡି ଏଠୁ ସେଠିକୁ ଯିବାକୁ ପଡିଲା ଜଗାବଳିଆଙ୍କୁ ।


ଏଭଳି ଘଟଣା ଘଟିଛି ବୌଦ୍ଧବ୍ଲକ ବଘିଆପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏରେଡା ଗ୍ରାମରେ । ପିଲାଙ୍କ ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡିଛନ୍ତି ପିତା ଚରିତ୍ର ହାତୀ ଓ ମାତା ଦେବକୀ ହାତୀ । ବୌଦ୍ଧଜିଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭକରି ବୁର୍ଲା, କଟକ ଡାକ୍ତରଖାନା ଯାଏଁ ପିଲାଦୁଇଟିକୁ ନେଇ ବାରଦ୍ୱାର ହେବାପରେ ମଧ୍ୟ କିଛି ଫଳ ହୋଇନଥିବାରୁ ଘରେବସି ଆଖିରୁ ଲୁହ ଗଡାଇବା ସାର ହୋଇଛି । ଡାକ୍ତରମାନଙ୍କ କହିବା ଅନୁଯାୟୀ ଜଗାବଳିଆଙ୍କ ଗୋଡରେ ଅସ୍ତ୍ରୋପଚାର ଆବଶ୍ୟକ ଓ ସେଥିପାଇଁ ଅନେକ ଟଙ୍କା ଦରକାର । ପର ପାଖରେ କାମକଲେ ଯାଇ ସେହି ମଜୁରୀରେ ପରିବାର ଚଳେ । କେଉଁଠୁ ଆଣିବେ ଟଙ୍କା ଯେ ପିଲାଙ୍କ ଚିକିତ୍ସା କରିବେ ବୋଲି ଜଗାବଳିଆଙ୍କ ମାଆ ଦେବକୀ ଲୁହ ଛଳଛଳ ଆଖିରେ ପ୍ରକାଶ କରନ୍ତି ।
ସରକାର ଅଭାବୀ ଲୋକଙ୍କ ଚିକିତ୍ସା ପାଇଁ ଅନେକ ଯୋଜନା କରିଥିବାର ଧୂଆଁବାଣ ମାରନ୍ତି ସିନା ସେସବୁ ଯୋଜନା ଜଗାବଳିଆଙ୍କ ପାଇଁ ଅପହଞ୍ଚ । ସିଡିଏମଓଙ୍କ ଠାରୁ ଆରମ୍ଭକରି ଜିଲ୍ଲାପାଳଙ୍କ ଯାଏଁ ଦ୍ୱାରସ୍ତହୋଇ ମଧ୍ୟ ଫଳ ଶୂନ । ପ୍ରଶାସନ ଜଗାବଳିଆଙ୍କୁ ନେଇ ପ୍ରାୟ ୭ଦିନ ବୌଦ୍ଧ ଡାକ୍ତରଖାନାର ବେଡରେ ରଖିଥିଲା । ଡାକ୍ତର ସେମାନଙ୍କର ଅପରେସନ ଏଠାରେ ହୋଇପାରିବ ନାହିଁ କହି ଫେରାଇ ଦେଇଥିଲେ । ବାହାରକୁ ଅଧିକ ଚିକିତ୍ସା ପାଇଁ ପଠାଇବା ସକାଶେ ଦେଖାଇଲେ ନାହିଁ ଆନ୍ତରିକତା । ଏବେ ମଧ୍ୟ ଘରେ ପଡିରହିଛନ୍ତି ଦୁଇଭାଇ ଜଗାବଳିଆ ।
ରାଜ୍ୟ ଚିକିତ୍ସା ପାଣ୍ଠିଠାରୁ ରେଡକ୍ରସ ପର୍ଯ୍ୟନ୍ତ ଅନେକ ସଂସ୍ଥା ଗରିବ ରୋଗୀମାନଙ୍କ ପାଇଁ ରହିଛି । ଜିଲ୍ଲାପାଳ ଜଗାବଳିଆଙ୍କ ଚିକିତ୍ସା ପାଇଁ ସମ୍ବେଦନଶୀଳ ହୋଇ ଏ ଦିଗରେ କିଛି ପଦକ୍ଷେପ ତୁରନ୍ତ ନେବାର ଆବଶ୍ୟକତା ରହିଛି ବୋଲି ପିତାମାତା ଆକୁଳ ନିବେଦନ କରିଛନ୍ତି ।

Comments (0)
Add Comment