ଭୁବନେଶ୍ବର: ପୂର୍ବାପେକ୍ଷା ରାଜ୍ୟରେ ଖଣି ଚୋରି ହ୍ରାସ ପାଇଛି, କିନ୍ତୁ ଖଣି ଲିଜ୍ଧାରୀଙ୍କଠାରୁ ରାଜସ୍ବ ଆଦାୟ ହୋଇପାରୁ ନାହିଁ। ଗତ ଜାନୁଆରୀ ୩୧ ସୁଦ୍ଧା ଶତାଧିକ ଖଣି ଲିଜ୍ଧାରୀଙ୍କ ଉପରେ ୧୮୭୦ କୋଟି ଟଙ୍କା ବକେୟା ରହିଛି। ବିଧାୟକ ସୌଭିକ ବିଶ୍ବାଳଙ୍କ ପ୍ରଶ୍ନର ଉତ୍ତରରେ ଲିଖିତ ଭାବେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ତଥ୍ୟ ଦେଇଛନ୍ତି।
ଏହା ଅନୁସାରେ ଯୋଡ଼ାରେ ଥିବା ମାତ୍ର ୧୧ ଖଣି ଲିଜ୍ଧାରୀଙ୍କ ଉପରେ ୪୦୫ କୋଟି ୮୭ ଲକ୍ଷ ଟଙ୍କା ରାଜସ୍ବ ବକେୟା ରହିଛି। କେନ୍ଦୁଝରରେ ୩୯ଟି କମ୍ପାନୀ ଉପରେ ୫୧ ଲକ୍ଷ ଟଙ୍କା, ତାଳଚେରରେ ୨୬ କମ୍ପାନୀ ଉପରେ ୧ କୋଟି ୭୫ ଲକ୍ଷ ଟଙ୍କା, କୋରାପୁଟର ୭ କମ୍ପାନୀ ଉପରେ ୧୧୨ କୋଟି ୭୫ ଲକ୍ଷ ଟଙ୍କା, ରାଉରକେଲାରେ ୨୯ କମ୍ପାନୀ ଉପରେ ୩.୪୦ କୋଟି, ସମ୍ବଲପୁରରେ ୨୯ କମ୍ପାନୀ ଉପରେ ୧୩୪୧ କୋଟି ଟଙ୍କା ବକେୟା ରହିଛି। ସେହିପରି କୋଇଡ଼ାରେ ୪୮.୪୯ କୋଟି ଟଙ୍କା ଆଦାୟ ହୋଇନାହିଁ। ମନ୍ତ୍ରୀ କହିଛନ୍ତି, ୨୦୨୨-୨୩ରୁ ୨୦୨୫-୨୬ ମଧ୍ୟରେ ଖଣି ରାଜସ୍ବରୁ ସରକାର ୧୬୧୫୬୧ କୋଟି ଟଙ୍କା ପାଇଛନ୍ତି। ୨୦୨୨-୨୩ରେ ୩୮୦୭୫ କୋଟି, ୨୦୨୩-୨୪ରେ ୪୬୩୯୬ କୋଟି, ୨୦୨୪-୨୫ରେ ୪୨୦୬୫ କୋଟି ଏବଂ ଚଳିତ ବର୍ଷରେ ଜାନୁଆରୀ ଶେଷ ସୁଦ୍ଧା ୩୫୦୨୫ କୋଟି ଟଙ୍କା ଆଦାୟ ହୋଇଛି। ସମସ୍ତ ଖଣି ରାଜସ୍ବ ଆଦାୟ ନିମନ୍ତେ ଖଣି ଓ ଭୂତତ୍ତ୍ୱ ନିର୍ଦେଶାଳୟ ପକ୍ଷରୁ ସମୀକ୍ଷା କରାଯାଇ କ୍ଷେତ୍ର ଅଧିକାରୀମାନଙ୍କୁ ବକେୟା ଅର୍ଥ ଆଦାୟ ପାଇଁ ନିର୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।