ବିଦ୍ୟୁତ କରେଣ୍ଟ୍‌ ଲାଗି ମା ଓ ପୁଅ ମୃତ

ରେଢାଖୋଲ : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ବାରବାଙ୍କ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ ବିଦ୍ୟୁତ କରେଣ୍ଟ୍‌ ଲାଗି ମା ଓ ପୁଅଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମା ହେଲେ ଯଶୋଦା ସାହୁ(୬୫) ଓ ପୁଅ ସୁଶାନ୍ତ ସାହୁ(୩୦) ବୋଲି ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ ସବୁଦିନ ଭଳି ଖାଇପିଇ ସାରିବା ପରେ ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ମା ଓ ପୁଅ ଘରେ ଥିବା ଟେବୁଲ ଫ୍ୟାନ୍‌ ଲଗାଇ ଶୋଇଥିଲେ । ମା ଯଶୋଦା ଫ୍ୟାନ୍‌ ପାଖରେ ଶୋଇଥିବା ବେଳେ ପୁଅ ଖଟରେ ଶୋଇଥିଲେ । କୌଣସି ମତେ ଫ୍ୟାନରୁ ମାଙ୍କୁ ପ୍ରଥମେ କରେଣ୍ଟ ଲାଗିଥିଲା ତେବେ ତାଙ୍କ ଚିତ୍କାର ଶୁଣି ପାଖରେ ଶୋଇଥିବା ଶାରୀରୀକ ଅକ୍ଷମ(ପକ୍ଷାଘାତ ରୋଗରେ ଶିକାର) ପୁଅ ଘୋଷାଡି ଘୋଷାଡି ଯାଇ ମାଆଙ୍କୁ ଫ୍ୟାନ କରେଣ୍ଟରୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ ସେ ମଧ୍ୟ କରେଣ୍ଟରେ ଲାଖି ରହିଥିଲେ । ଫଳରେ ଉଭୟ ମା ଓ ପୁଅଙ୍କ ଘଟଣା ସ୍ଥଳରେ ହିିଁ ମୃତ୍ୟୁ ହୋଇଯାଇଥିଲା । ଘଟଣାର ଖବର ପାଇ ଚାରମାଳ ପୁଲିସ ପହଞ୍ଚି ଉଭୟ ମା ଓ ପୁଅଙ୍କ ଶବ ଜବତ କରି ଚାରମାଳ ଥାନା ଅପମୃତ୍ୟୁ ଜନିତ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ଥାନା ଅଧିକାରୀ ବସନ୍ତ କୁମାର ଦଳାଇ ସୁଚନା ଦେଇଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମୃତକ ଯଶୋଦା ଜଣେ ବିଧବା ହୋଇଥିବା ବେଳେ ତାଙ୍କ ପୁଅ ଜଣେ ପକ୍ଷାଘାତ ପିଡିତ ଶାରୀରିକ ଅକ୍ଷମ ଯୁବକ ।ସେହିପରି ତାଙ୍କ ପରିବାର କହିଲେ ଉଭୟେ ମା ଓ ପୁଅ । ଉଭୟେ ମା ଓ ପୁଅ ଘରେ ଏକୁଟିଆ ରହୁଥିବା ବେଳେ ଉଭୟଙ୍କୁ ମିଳୁଥିବା ଭତ୍ତା ଓ ଚାଉଲରୁ କଷ୍ଟେ ମଷ୍ଟେ ତେଲଲୁଣ କରି ଚଳି ଆସୁଥିଲେ । ହେଲେ ଉଭୟଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଶୂନ୍ୟ ହୋଇଯାଇଛି ।

Comments (0)
Add Comment