ମହେନ୍ଦ୍ରଗିରି ଓ ଚନ୍ଦ୍ର ଗିରି ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୋଜିତ ହେବ : ମୁଖ୍ୟ ଶାସନ ସଚିବ

ପାରଳାଖେମୁଣ୍ଡି : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଜପତି ଜିଲ୍ଲା ଗସ୍ତକରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଜିଲ୍ଲାରେ ରହିଥିବା ପର୍ଯ୍ୟଟନ ସମ୍ଭାବନାର କ୍ଷେତ୍ର ସ୍ତରୀୟ ଅନୁଧ୍ୟାନ କରି ଥିଲେ । ଶ୍ରୀ ମହାପାତ୍ର ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ରାସ୍ତାରେ ତୁମ୍ବ । ପୂରିଆ ସାହି ବୁରଖତ ଆଦି ସ୍ଥାନ ଦେଇ ମହେନ୍ଦ୍ର ଗିରି କୁନ୍ତୀ ମନ୍ଦିର, ଯୁଧିଷ୍ଠିର ମନ୍ଦିର ପରିଦର୍ଶନ କରିଥିଲେ । ଶ୍ରୀ ମହାପାତ୍ର ମଧ୍ୟ ମହେନ୍ଦ୍ରଗିରି ଶିଖର ଅଞ୍ଚଳରେ ପର୍ଯ୍ୟଟନ ବିକାଶର ସମ୍ଭାବନା ଅନୁଧ୍ୟାନ କରିଥିଲେ । ଏହି ସବୁ ମନ୍ଦିର ଏବଂ ମହେନ୍ଦ୍ରଗିରିକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶମାନ ଦେଇ ଥିଲେ ।ଏହା ସହ ମହେନ୍ଦ୍ର ଗିରି ଜୈବ ଅଞ୍ଚଳର ଜୈବବିବିଧତା ବୃଦ୍ଧି କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ପର୍ଯ୍ୟଟନମାନଙ୍କ ନିମନ୍ତେ ବ୍ରହ୍ମ ପୁର ଓ ପାରଳାଖେମୁଣ୍ଡି ରାସ୍ତାକୁ ସଂଯୋଜିତ କରୁଥିବା ରାସ୍ତା ବୁରଖତ ଠାରେ ପର୍ଯ୍ୟଟକ ରହଣି କ୍ୟାମ୍ପ ଓ ସୁବିଧା କେନ୍ଦ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ କାଳରେ ମୁଖ୍ୟ ଶାସନ ସଚିବ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଏବଂ ଖସଡ଼ା ଜଳପ୍ରପାତ ପର୍ଯ୍ୟଟନ ବିକାଶ ଆଦିର ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣା ପଡିଥିଲା ଯେ ଇତି ମଧ୍ୟରେ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରା ଯାଇଛି । ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ।ଏହି ପ୍ରକଳ୍ପ ଗଜପତି ଜିଲ୍ଲାର ୫୦୦ ହେକ୍ଟର ଏବଂ ଗଞ୍ଜାମ ଜିଲ୍ଲାର ୬୦୦୦ ସେକ୍ଟର ଜମିକୁ ଜଳ ସେଚିତ କରିବ । ସମୀକ୍ଷା ପରେ ପରେ ଗଣମାଧ୍ୟମ ପ୍ରଶ୍ନ ଉତ୍ତର ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ ଗଜପତି ଜିଲ୍ଲାରେ ପ୍ରକୃତି ପର୍ଯ୍ୟଟନ ନିମନ୍ତେ ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ମହେନ୍ଦ୍ରଗିରି ଓ ଚନ୍ଦ୍ର ଗିରିକୁ ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୋଜିତ କରିବା ଏବଂ ବ୍ରହ୍ମପୁରରୁ ତୁମ୍ବା ଓ ମହେନ୍ଦ୍ରଗିରି ଦେଇ ପାରଳାଖେମୁଣ୍ଡି ସିଧାସଳଖ ଯିବା ପାଇଁ ଥିବା ରାସ୍ତାର ବିକାଶ ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ପ୍ରସ୍ତୁତି ହେବ ।ଏହା କରାଗଲେ ଗଜପତି ଜିଲ୍ଲାରେ ପ୍ରକୃତି ପର୍ଯ୍ୟଟନ ବିକାଶ ସହ ସ୍ଥାନୀୟ ବାସିନ୍ଦା ମାନଙ୍କର ରୋଜଗାର ପନ୍ଥା ବୃଦ୍ଧି ପାଇବ ।ଏହି ଗସ୍ତ ସମୟରେ ରାଜସ୍ୱ ଡିଭିଜନ କମିଶନ ଡି. ୱାପାଙ୍ଗ ଆଓ ଏବଂ ଗଜପତିର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସମୀକ୍ଷା ନିମନ୍ତେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।

Comments (0)
Add Comment