ସ୍ୱାସ୍ଥ୍ୟ ସଚେତନତା ପାଇଁ ପଥପ୍ରାନ୍ତ ନାଟକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ସଦର ବ୍ଲକ ସ୍ଥିତ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବସଲାଟ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅନ୍ତର୍ଗତ ଡୁମ୍ୱେରଖୋଲ ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା ଉପରେ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । ମାଗୁଣୀ ମହାକୁଡ ଏବଂ ସାଥୀ ମାନସିକ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛ ଭାରତ ମିଶନ ଉପରେ ଲୋକକଳା ପାଲା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ନାଇକେନପାଲିର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଭାବେ କାର୍ଯ୍ୟରତ ସ୍ୱାସ୍ଥ୍ୟଶିକ୍ଷା ବିଶେଷଜ୍ଞ ପ୍ରଦ୍ୟୁମ୍ନ କୁମାର ସାହୁ ଉପସ୍ଥିତ ରହି ମୂଳରୁ ସଚେତନ ରହିଲେ ମାନସିକ ରୋଗକୁ ଦୂରେଇ ହେବ ବୋଲି କହିବା ସହ ସ୍ୱଚ୍ଛତା ହିଁ ଉତ୍ତମ ସ୍ୱାସ୍ଥ୍ୟର ମୂଳମନ୍ତ୍ର ବୋଲି ଉଲ୍ଲେଖ କରିଥିଲେ । ସାଂପ୍ରତିକ କୋଭିଡ ମହାମାରୀରୁ ବର୍ତ୍ତିବା ପାଇଁ ସମସ୍ତଙ୍କୁ କୋଭିଡ ଟିକାନେବା ପାଇଁ ପ୍ରବର୍ତ୍ତାଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଶାଖାରୁ ରୋଗୀ ସେବାକର୍ମୀ ଜ୍ଞାନଜିତ ଶତପଥୀ, ସ୍ୱାସ୍ଥ୍ୟ ପରିଦର୍ଶକ ଶାନ୍ତ୍ୱନୁ ମେହେର, ସରୋଜ କୁମାର ଗାନ, ମହିଳା ସ୍ୱାସ୍ଥ୍ୟକର୍ମୀ ସୁସ୍ମିତା ସୁନା, ଆଶାକର୍ମୀ ଗୀତାଞ୍ଜଳି ରଣା, ଅଙ୍ଗନବାଡି କର୍ମୀ ଚନ୍ଦ୍ରକାନ୍ତି ବାଗ ଉପସ୍ଥିତ ଲୋକଙ୍କୁ ଲିଫଲେଟ ବଣ୍ଟନ କରିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିକ ସମସ୍ୟା ଉପରେ ଆଲୋଚନା କରିଥିଲେ ।

Comments (0)
Add Comment