ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା

ପୁରୀ: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି । ସିଂହଦ୍ୱାର ଓ ଏହାର ଚତୁଃପାର୍ଶ୍ୱରେ ଜନ ସମାଗମ ଉପରେ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ଆସନ୍ତାକାଲି ପ୍ରାତଃ ୪ ଘଟିକା ସମୟରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ । କାଉଁରିଆ କାଠି ଜାଳିବା ବେଳେ ପ୍ରବଳ ଜନ ସମାଗମ ହେବା, ପ୍ରଦୂଷଣ ମାତ୍ରା ବୃଦ୍ଧି ଓ କୋଭିଡ କଟକଣା ଉଲ୍ଲଂଘନ ହେବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି । ଏ ସଂକ୍ରାନ୍ତରେ ଉପ ଜିଲ୍ଲାପାଳ ଭବତାରଣ ସାହୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆସନ୍ତାକାଲି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଉକ୍ତ ସମୟ ମଧ୍ୟରେ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରବେଶାନୁମତି ରହିବ । ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ ।

Comments (0)
Add Comment