ଷ୍ଟାଡିୟମ ଖୋଳୁଖୋଳୁ ବାହାରିଲା ମୃତଦେହ, ମମିତାଙ୍କ ନା ଆଉ କାହାର ସ୍ପଷ୍ଟ ହୋଇନି

ବଲାଙ୍ଗୀର: କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରୁ ଆଜି ସକାଳେ ଖୋଳାଖୋଳି ଆରମ୍ଭ ହୋଇଥିବା ବେଳେ ମାତ୍ର ୩ ଘଣ୍ଟା ପରେ ଉଦ୍ଧାର ହେଲା ଏକ ଦଗ୍ଧ ମୃତଦେହ। ମୃତଦେହଟି ନଷ୍ଟ ହୋଇଯାଇଥିବା ବେଳେ ଏହା କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ଗତ ୧୧ ଦିନ ହେବ ନିଖୋଜ ଥିବା ବେଳେ ଏହି ଘଟଣାର ତଦନ୍ତ କରିବାକୁ ଯାଇ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରେ ଆଜି ସକାଳେ ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ ହୋଇଥିଲା। ଘଟଣାର ମାତ୍ର ୩ ଘଣ୍ଟା ପରେ ଜେସିବି ଖୋଳୁ ଖୋଳୁ ମାତ୍ର ୮-୧୦ ଫୁଟ ତଳୁ ଏକ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପୋଡ଼ି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ଉକ୍ତ ସ୍ଥାନକୁ ପୁଲିସ୍‌ ଚାରିପଟୁ ସିଲ୍‌ କରି ଦେଇଛି। ଘଟଣାସ୍ଥଳରୁ ମୃତଦେହ ବାଦ ଏକ ଧୂପକାଠି ଓ ଆହୁରି କିଛି ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି । ପାରିପାର୍ଶ୍ୱିକ ସ୍ଥିତରୁ ଏହା ମମିତାଙ୍କ ମୃତଦେହ ବୋଲି ଜଣା ପଡ଼ୁଥିବା ବେଳେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି। ମମିତାଙ୍କ ପରିବାର ଲୋକଙ୍କୁ ମୃତଦେହ ଚିହ୍ନଟ ପାଇଁ ଡକାଯାଇଛି। ସେମାନେ ପହଞ୍ଚିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ଜଣାଯାଇଛି। ଏହାବାଦ ମୃତଦେହର ଡିଏନ୍‌ଏ ଟେଷ୍ଟ ହେବ ବୋଲି ବଲାଙ୍ଗିର ପୁଲିସ୍‌ ପକ୍ଷରୁ କୁହାଯାଇଛି।

Comments (0)
Add Comment