କିମ୍‍ସରେ ସ୍ପାଇନାଲ୍‍ ଇନ୍‍ଜୁରୀ ପ୍ରତିରୋଧ ଦିବସ

ସାଂପ୍ରତିକ ସମୟରେ ଯେଉଁ ସବୁ ରୋଗଗୁଡ଼ିକ ଦେଖାଯାଉଛି ସେଥିମଧ୍ୟରୁ ମେରୁଦଣ୍ଡ ଆଘାତ ଜନିତ ସମସ୍ୟା ବହୁଳ ମାତ୍ରାରେ ଦେଖାଯାଉଛି । ଅଧିକାଂଶ ଯୁବଗୋଷ୍ଠୀ ଏଥିରେ କବଳିତ ହୋଇପଡ଼ୁଛନ୍ତି । ଦୁର୍ଘଟଣା କିମ୍ବା ଉପର ସ୍ଥାନରୁ ପଡ଼ିଯିବା ଆଦି ବିଭିନ୍ନ କାରଣରୁ ଅଧିକାଂଶ ଲୋକ ମେରୁଦଣ୍ଡ ଆଘାତ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ଦ୍ୱାରା ରୋଗୀ ନିଜେ କ୍ଷତିଗ୍ରସ୍ତ ହେଉଥିବା ବେଳେ ତାଙ୍କ ଉପରେ ନିର୍ଭର କରୁଥିବା ପରିବାର ମଧ୍ୟ ଅସୁବିଧାର ପଡ଼ୁଛି । ଏହା ଏକ ସାମାଜିକ ସମସ୍ୟା ବୋଲି ବୋଲି ବିଶିଷ୍ଟ ଅର୍ଥୋପେଡିକ୍‍ ଓ ସ୍ପାଇନ୍‍ ସର୍ଜନ ଡା. ଶଙ୍କର ଆଚାର୍ଯ୍ୟ କହିଛନ୍ତି । ଆସୋସିଏସନ୍‍ ଅଫ୍‍ ସ୍ପାଇନ୍‍ ସର୍ଜନସ ଅଫ୍‍ ଇଣ୍ଡିଆ, ଦି ଇଣ୍ଟରନ୍ୟାସ୍‍ନାଲ୍‍ ସ୍ପାଇନାଲ୍‍ କର୍ଡ ସୋସାଇଟି, ସ୍ପାଇନ୍‍ ସୋସାଇଟିଅ ଅଫ୍‍ ଇଣ୍ଡିଆ, ଇଣ୍ଡିଆନ୍‍ ସୁପର ସ୍ପାଇନାଲ୍‍ ଇନ୍‍ଜୁରିଜ୍‍ ସେଣ୍ଟର, ଓଡ଼ିଶା ଅର୍ଥୋପେଡିକ୍‍ ଆସୋସିଏସନ୍‍ ମିଳିତ ସହଯୋଗରେ କିମ୍‍ସରେ ଅନୁଷ୍ଠିତ ସ୍ପାଇନାଲ୍‍ ଇଞ୍ଜୁରୀ ପ୍ରତିରୋଧ ଦିବସ ଅବସରରେ ଡା. ଆଚାର୍ଯ୍ୟ ଏହା କହିଛନ୍ତି ।

ଡା. ଆଚାର୍ଯ୍ୟ କହିଲେ, ଏହି ରୋଗ ସଂପୂର୍ଣ୍ଣ ଉପଶମ ହେବାର ଖୁବ୍‍ କମ୍‍ ସମ୍ଭାବନା ଥିବା ଯୋଗୁଁ କିଭଳି ଏହା ନ ହେବ ସେଥିପାଇଁ ସତର୍କ ରହିବା ଉଚିତ । ସମଗ୍ର ବିଶ୍ୱରେ ବର୍ଷକୁ ପ୍ରାୟ ୨.୫ଲକ୍ଷରୁ ୫ ଲକ୍ଷ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ କେବଳ ଭାରତରେ ଗତ ଜନଗଣନା ଅନୁସାରେ ପ୍ରାୟ ଦେଢ଼ ଲକ୍ଷ ଲୋକ ଏଥିରେ ମୃତ୍ୟୁ ବରଣ କରିଥିବା ଡା. ଆଚାର୍ଯ୍ୟ ସୂଚନା ଦେଇଥିଲେ । ସେଥିପାଇଁ ସରକାର, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପ୍ରଫେସନାଲ୍‍, ଗଣମାଧ୍ୟମ ଓ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ । ଏହି କାର୍ଯ୍ୟକ୍ରମକୁ କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍‍ଘାଟନ କରି କହିଲେ, ଦୈନନ୍ଦିନ ଜୀବନରେ ଆମେ କେତେକ ଛୋଟ କଥାକୁ ଧ୍ୟାନ ଦେଲେ ମେରୁଦଣ୍ଡ ଜନିତ ବିପଦରୁ ରକ୍ଷା ପାଇପାରିବା । ନିଜେ ସମ୍ମୁଖୀନ ହୋଇଥିବା ମେରୁଦଣ୍ଡ ଜନିତ ଆଘାତ ଅବହେଳା ପାଇଁ ତାଙ୍କୁ କିଭଳି ବିପଦର ସାମ୍‍ନା କରିବାକୁ ପଡ଼ିଲା ତାହା ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା କମିଶନର ଫର ପର୍‍ସନ୍‍ସ ଉଇଥ ଡିଜାବିଲିଟିଜ୍‍ ସୁଲୋଚନା ଦାସ ଯୋଗଦେଇ ପରିବାର ଓ ସମାଜରେ ଏହା ଉପରେ ଅଧିକ ସଚେତନତା ଜରୁରି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍‍ସିବି ମେଡିକାଲ କଲେଜର ପ୍ରଫେସର ଏବଂ ବିଭାଗୀୟ ମୁଖ୍ୟ ଡା. ନିର୍ମଳ ଚନ୍ଦ୍ର ମହାପାତ୍ର, ଓଲଟପୁରସ୍ଥିତ ନିରତାର୍‍ର ନିର୍ଦ୍ଦେଶକ ଡା. ଶକ୍ତି ଦାସ, ଓଡ଼ିଶା ଅର୍ଥୋପେଡିକ୍‍ ଆସୋସିଏସନ୍‍ର ସଭାପତି ଡା. ଦିଲିପ କୁମାର ସାମନ୍ତରାୟ, ଏସ୍‍ସିବି ମେଡିକାଲ୍‍ କଲେଜର ଅର୍ଥୋପେଡ଼ିକ ବିଭାଗ ଆସୋସିଏଟ୍‍ ପ୍ରଫେସର ଡା. ମଦନ ମୋହନ ସାହୁ, ଓଡ଼ିଶା ସ୍ପାଇନ୍‍ ସୋସାଇଟିର ସମ୍ପାଦକ ଡା. ଜିତେନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ଏହି ଦିବସ ଓ ଜନସଚେତନତା ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ଅର୍ଥୋସର୍ଜନ ତଥା ଓଡ଼ିଶା ଅର୍ଥୋପେଡିକ୍‍ ଆସୋସିଏନ୍‍ର ସମ୍ପାଦକ ଓ କିମ୍‍ସ ପ୍ରଫେସର ଡା. ବସନ୍ତ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ କିମ୍‍ସ ଅର୍ଥୋପେଡ଼ିକ ବିଭାଗ ମୁଖ୍ୟ ଡା. ତନ୍ମୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ସକାଳେ ସାଇକ୍ଲୋଥୋନ୍‍ ଜରିଆରେ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିବା ବେଳେ ପଥପ୍ରାନ୍ତ ନାଟକ ଜରିଆରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।

Comments (0)
Add Comment