ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲୁକ ଆଇନ ସେବା କମିଟି ତରଫରୁ ଶିଶୁ ଦିବସ ପାଳନ

ଦାରିଙ୍ଗବାଡି : ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଜନନାୟକ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଜି ୧୩୦ତମ ଜନ୍ମ ଜୟନ୍ତୀ । ଶିଶୁମାନଙ୍କୁ ଖୁବ୍‌ ଭଲ ପାଉଥିବା ନେହେରୁଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟ ତଥା ସାରା ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ କାର୍ୟ୍ୟକ୍ରମ ହେଉଥିବା ବେଳେ ଦାରିଙ୍ଗବାଡି ବ୍ଲକ ର ବିଭିନ୍ନ ସ୍ଥାନରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡି ତାଲୁକ ଆଇନ ସେବା କମିଟି ତରଫରୁ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ଗଗନ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରକାରୀ ଓକିଲ ସୁରେଶ ଚନ୍ଦ୍ର ପାତ୍ରଙ୍କ ସମେତ ଓକିଲ ପ୍ରବୀର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ଶ୍ରୀ ସାହୁ ଚାଚା ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ କି ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ଦେଶ ହେଉ ଅବା ବିଶ୍ୱ, ଏକ ସୁନ୍ଦର ରାଷ୍ଟ୍ର ଗଠନ ଏହି ଶିଶୁମାନେ ହିଁ କରିପାରିବେ । ଦେଶର ଭବିଷ୍ୟତ ନିର୍ମାଣରେ ଶିଶୁଙ୍କୁ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ନେହେରୁ । ଫୁଲ ଭଳି ଛୋଟ ପିଲାଙ୍କୁ ସ୍ନେହ କରୁଥିଲେ ଚାଚା ନେହେରୁ । ପ୍ରତି ମୁହୁର୍ତ୍ତରେ ତାଙ୍କ କଥା ଚିନ୍ତା କରୁଥିଲେ । ଏଥି ସହିତ ସେ ସମ୍ବିଧାନରେ ଶିଶୁମାନଙ୍କ ପାଇଁ ଥିବା ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ପାଠପଢା ସହିତ ସ୍କୁଲର ପରିବେଶ ସହିତ ଆଖପାଖ ପରିବେଶକୁ ସଫା କରିବା ପରିବେଶକୁ ସୁରକ୍ଷା ଦେବାକୁ ପରାମର୍ଶ ଦେବା ସହିତ ଶିଶୁ ମାନଙ୍କୁ ସୁଯୋଗ ସୃଷ୍ଟି କରିବା ନେଇ ସେମାନଙ୍କୁ ସ୍କୁଲ ପାଠ ବ୍ୟତୀତ ନାଚ, ଗୀତ ଚିତ୍ରାଙ୍କନ କ୍ରୀଡ଼ା ଭଳି ବିଭିନ୍ନ ପ୍ରତିଯୋଗିତା କରିବା ପାଇଁ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାଧୁରୀ ଦିଗାଲ, ରଶ୍ମିତା ତ୍ରିପାଠୀ, ଅନ୍ନପୂର୍ଣ୍ଣା ପ୍ରଧାନ, କ୍ରିଷ୍ନା କୁମାରୀ ସିଂ, କଳ୍ପନା ସେଠୀ, ସୁନତା ପ୍ରଧାନ, ସରସ୍ୱତୀ ବିଶ୍ୱାଳ, ସୋନାଲିସା ସାହୁ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷୟିତ୍ରୀ ରଶ୍ମିତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment