ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ରାଜ୍ୟବ୍ୟାପି ଭ୍ରାମ୍ୟମାଣ ସଚେତନତା ରଥକୁ ଆଜି ଫୁଲବାଣୀ ଠାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଭିନିତ୍‌ ଅଗ୍ରୱାଲ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି କ୍ରମରେ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଶିଶୁ ଅଧିକାର ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଶିଶୁ ସହିତ ତା’ର ପିତା ମାତା ଓ ଜ୍ଞାତିକୁଟୁମ୍ବ ଶିଶୁ ଅଧିକାର ବିଷୟରେ ଜାଣିବାର ଆବଶ୍ୟକତା ରହିଛି ବୋଲି ଅଧ୍ୟକ୍ଷା କହିଥିଲେ । ଦେଖାଯାଇଛିଯେ, କୋଭିଡ଼-୧୯ ମହାମାରୀ ସମୟରେ ଶିଶୁମାନଙ୍କ ଉପରେ ବିଭିନ୍ନ ପ୍ରକାରର ନିର୍ଯାତନା କରାଯାଇଛି । ଆର୍ଥିକ ଅଭାବରୁ ସେମାନଙ୍କୁ ବାଲ୍ୟ ବିବାହ ପାଇଁ ବାଧ୍ୟ କରାଯାଇଛି ।

ସେମାନଙ୍କ ମନରେ ପୋଲିସମାନଙ୍କ ପ୍ରତି ରହିଥିବା ଭୟକୁ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ଜିଲ୍ଲାର ସଦରମହକୁମା ଥାନାରେ ଶିଶୁମାନଙ୍କ,ଖାଇବା,ପଢ଼ିବା,ଖେଳିବା ଭଳି ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି । ସେମାନଙ୍କ ରହଣି ସମୟରେ ପୋଲିସ୍‌ମାନେ ସେମାନଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ମା’ ମାନେ ପ୍ରଥମେ ନିଜ ନିଜକୁ କାଳୀ ଓ ଦୁର୍ଗା ଭଳି ଜାଗ୍ରତ କରିବାକୁ ପଡ଼ିବ ଏବଂ ଅସୁରମାନଙ୍କୁ ନିପାତ କଲାଭଳି ନିଜର ଶିଶୁମାନଙ୍କୁ ଅମଣିଷ ମାନଙ୍କ କବଳରୁ ରକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ ।

କନ୍ଧମାଳ ଜିଲ୍ଲାରେ ବାଲିଗୁଡ଼ା ଓ ଘୁ.ଉଦୟଗିରି ଠାରେ ଚାଇଲ୍ଡ ଲାଇନ୍‌ର ଉପ-କେନ୍ଦ୍ର ଖୋଲିବା ପାଇଁ ପ୍ରଚେଷ୍ଟା କରିବେ ବୋଲି ସେ କହିଥିଲେ । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ଦିବ୍ୟା ସାସ୍ୱତୀ ୪୦ ଦିନିଆ ଗ୍ରସ୍ତ କାଳରେ ପ୍ରତି ଜିଲ୍ଲାର ଲୋକମାନଙ୍କୁ ଶିଶୁ ଅଧିକାର ଓ ସେମାନଙ୍କ ସୁରକ୍ଷା ଉପରେ ସଚେତନ କରାଯିବ ବୋଲି କହିଥିଲେ । ସେଭ ଦି ଚିଲ୍‌ ଡ୍ରେନ୍‌ ର ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ସ୍ୱାଇଁ ଶିଶୁ ମାନଙ୍କୁ, ବାଲ୍ୟ ବିବାହ, ଶ୍ରମ, ଅପପୃଷ୍ଟି, ଯୌନ ନିର୍ଯାତନା, ଅଧାରୁ ପାଠ ଛାଡ଼ିବା ଭଳି କାର୍ଯ୍ୟରୁ ନିବୃତ୍ତ କରିବା ପାଇଁ ସଚେତନ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

ଆକ୍ସନ୍‌ ଏଡ୍‌ ସଂଯୋଜିକା ଶ୍ରୀମତୀ ସ୍ୱାତୀ ତନ୍ମୟା ମିଶ୍ର ନିଜ ବକ୍ତବ୍ୟରେ କହିଲେ ଯେ, ଭ୍ରାମ୍ୟମାଣ ସଚେତନତା ରଥ ଗାଁ ଗାଁ ରେ ବୁଲିବୁଲି ଶିଶୁ ସୁରକ୍ଷାର ମନ୍ତ୍ର ବିତରଣ କରିବ । ବନବାସୀ ସେଚ୍ଛାସେବୀ ଅନୁଷ୍ଠାନର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ବାଲ୍ୟ ବିବାହ ମଞ୍ଚର ସଦସ୍ୟା ବିଷ୍ଣୁପ୍ରିୟା ପ୍ରଧାନ, ଚାଇଲ୍ଡ ଲାଇନ୍‌ର ଜିଲ୍ଲା ସଂଯୋଜିକା ରଞ୍ଜିତା କାଖୋ, ପ୍ରଦାଭାର ସଂପାଦକ ପ୍ରଦୀପ କୁମାର ଦାସ ପ୍ରମୁଖ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଶୋକ କୁମାର ବେହେରା ସଭାକାର୍ଯ୍ୟକୁ ପରିଚାଳନା କରିଥିବାବେଳେ ପ୍ରୋଗ୍ରାମ ଅଧିକାରୀ ଏସ୍‌.ଗାୟତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଞ୍ଜୁଳା ପ୍ରଧାନ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରନ୍‌ ସହଯୋଗିତା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଆଇନଜୀବୀ ଜୟନ୍ତୀ ପାଣିଗ୍ରାହୀଙ୍କ ସମେତ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ, ସରକାରୀ ଓ ବେସରକାରୀ ଅନୁଷ୍ଠାନର ପଦାଧିକାରୀ, ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Comments (0)
Add Comment