ଲକ୍ଷ୍ମୀଡୁଙ୍ଗରୀ ଶାଗୁଆନ ବଣ ସୁରକ୍ଷା ପାଇଁ ୨.୨୦ କୋଟି ଟଙ୍କା ମଞ୍ଜୁର

ସମ୍ବଲପୁର: ବିଶ୍ୱ ପ୍ରସିଦ୍ଧ ହୀରାକୁଦ ବନ୍ଧ ଠିକ ତଳକୁ ମହାନଦୀର ବାମ ପାଶ୍ୱର୍ରେ ସଂଲଗ୍ନ ଏକ ଛୋଟ ପାହାଡ ସହିତ ଲକ୍ଷ୍ମୀଡୁଙ୍ଗରୀ ସଂରକ୍ଷିତ ବଣ ରହିଛି, ଯାହାକି ଏକ ପ୍ରାକୃତିକ ଶାଗୁଆନ ବଣ ରୂପେ ପରିଚିତ । ବର୍ତ୍ତମାନ କିନ୍ତୁ ବଣ ମାଫିଆଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ଏହା ଅତ୍ୟନ୍ତ ଅସୁରକ୍ଷିତ ହୋଇପଡ଼ିଛି । ଏ ପରିପ୍ରେକ୍ଷୀରେ ଏହାକୁ ସୁରକ୍ଷିତ ରଖିବା ପାଇଁ ଏହାର ଚାରି ପଟେ କଂକ୍ରିଟ ପ୍ରାଚୀର ନିର୍ମାଣ ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ସରକାର ଉଭୟଙ୍କ ପକ୍ଷରୁ ୨ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ କେନ୍ଦ୍ରୀୟ ଅନୁଦାନ ୨କୋଟି ଟଙ୍କା ଓ ରାଜ୍ୟ ସରକାରଙ୍କ ୨୦ ଲକ୍ଷ ଟଙ୍କା ସାମିଲ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ଜିଲ୍ଲା ବଣ ବିଭାଗ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ଏଥିପାଇଁ ସବୁବେଳେ ଚିନ୍ତିତ ରହିବା ବ୍ୟତୀତ ଏହାର ସୁରକ୍ଷା ପାଇଁ ଦାବି କରି ଆସୁଥିଲେ । ଏହାର ସମ୍ପୂର୍ଣ୍ଣ ସ୍ଥିତି ଅନୁଧ୍ୟାନ କଲାପରେ ସମ୍ବଲପୁର ଡିଏଫଓ ଡ଼ା. ସଞ୍ଜିତା କୁମାର ଏପରି ଏକ ପ୍ରସ୍ତାବ ଦେଇଥିଲେ ଓ ଏହାକୁ ସ୍ୱୀକୃତି ପୂର୍ବକ ଏହି ପାଣ୍ଠି ମଞ୍ଜୁର ହୋଇଛି । ବଣ ମାଫିଆଙ୍କ ସହିତ ଏହାର ପାଦଦେଶରେ ଏବେ ଜବରଦଖଲର ସମସ୍ୟା ଲେଖାଯାଉଛି । ବର୍ତ୍ତମାନ ଲକ୍ଷ୍ମୀଡୁଙ୍ଗରୀ ଚତୁର୍ପାର୍ଶ୍ୱରେ କଂକ୍ରିଟ ପ୍ରାଚୀର ନିର୍ମାଣ ଫଳରେ ଏହାକୁ ଅହେତୁକ ଜବରଦଖଲରୁ ମଧ୍ୟ ମୁକ୍ତ ରଖାଯାଇପାରିବ ବୋଲି ମତ ପ୍ରକାଶ ପାଇଛି ।

Comments (0)
Add Comment