ଫୁଲବାଣୀ- କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀର ମୁଖ୍ୟ ସଡକରେ ଗୋରୁଗାଈମାନଙ୍କ ଅବାଧ ବିଚରଣ ଯୋଗୁଁ ରାସ୍ତାରେ ଯାତାୟାତ କରୁଥିବା ଗାଡିମଟର ଏବଂ ଲୋକମାନଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ଏଥିପାଇଁ ଅନେକ ସଡକ ଦୁର୍ଘଟଣାରେ ଲୋକଙ୍କ ଧନଜୀବନ ହାନୀ ଘଟୁଛି । ହେଲେ ଏହି ଗୋରୁଗାଈମାନଙ୍କୁ ରାସ୍ତା ଉପରେ ଚରାବୁଲା କରିବା ବନ୍ଦ କରି ପାରୁନାହିଁ ଜିଲ୍ଲା ପ୍ରଶାସନ । ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ ବାରମ୍ବାର ଡାକବାଜି ଯନ୍ତ୍ର ଯୋଗେ ଗାଈଗୋରୁ ମାଲିକମାନଙ୍କୁ ସେମାନଙ୍କ ଗୃହପାଳିତ ପଶୁମାନଙ୍କୁ ରାସ୍ତାରେ ନ ଛାଡିବାକୁ ଜଣାଇବା ସହିତ ଏପରି କଲେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ତାଗିଦ୍ କରିଛି ପ୍ରଶାସନ, ହେଲେ ଏହାର କୌଣସି ପ୍ରଭାବ ଗାଈଗୋରୁ ମାଲିକ ମାନଙ୍କ ଉପରେ ପଡୁନାହିଁ । ଏଥିପାଇଁ ଫୁଲବାଣୀ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ରାସ୍ତାରେ ବୁଲୁଥିବା ଗୋରୁଗାଈ ଓ ଜୀବଜନ୍ତୁ ମାନଙ୍କୁ ହଟାଇବା ସହିତ ସେମାନଙ୍କ ମାଲିକ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ । କିଛିଦିନ ହେଲା ଫୁଲବାଣୀ ସହରରେ ରାସ୍ତା ଉପରେ ଷଣ୍ଢଙ୍କ ଲଢେଇ ହେଉଥିବା ଯୋଗୁଁ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଭୟଭୀତ ହେବା ସହ ସେମାନଙ୍କ ନିତିଦିନିଆ କାମରେ ବାହାରକୁ ବାହାରିବାକୁ ନିରାପଦ ମଣୁନାହାନ୍ତି । ଷଣ୍ଢଙ୍କ ଲଢେଇ ଯୋଗୁଁ ଫୁଲବାଣୀ ସହରରେ ମୁଖ୍ୟ ସଡକ ଦୀର୍ଘ ସମୟ ଧରି ଗାଡିମଟର ଚଳାଚଳ ବନ୍ଦ ରହୁଥିବା ଦେଖାଯାଉଛି । ସେହିପରି କିଛି ଦିନ ହେଲା ଫୁଲବାଣୀରେ ପାଗଳ କୁକୁରମାନେ ଲୋକଙ୍କୁ କାମୁଡିବାରେ ଲାଗିଛନ୍ତି । ଫଳରେ ପିଲାମାନେ ସ୍କୁଲକୁ ଗଲାବେଳେ ଏବଂ ଅଫିସକୁ ଯିବାବେଳେ ଲୋକେ କୁକୁର କାମୁଡାରେ ଶିକାର ହେଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଫୁଲବାଣୀ ପୌରପରିଷଦ କାର୍ଯ୍ୟାଳୟ ଜରିଆରେ କିମ୍ବା ପଶୁ ଚିକିତ୍ସା ବିଭାଗ ଜରିଆରେ ବାହାରେ ବୁଲୁଥିବା ଜୀବଜନ୍ତୁମାନଙ୍କୁ ନିୟନ୍ତ୍ରଣ କରିବାର ନିତାନ୍ତ ଆବଶ୍ୟକ ବୋଲି ଫୁଲବାଣୀର ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଡ. ଅରୁପ କୁମାର ଜେନା, ବରିଷ୍ଠ ନାଗରିକ ବିଜୟ କୁମାର ମହାନ୍ତି, ପ୍ରଣବ କୁମାର ମଣ୍ଡଳ ନବୀନ କିଶୋର ପଣ୍ଡା ଏବଂ ଅନ୍ୟମାନେ ଦାବୀ କରିଛନ୍ତି ।