ଭୂ-ମାଫିଆଙ୍କ ଉପଦ୍ରବ ବିରୁଦ୍ଧରେ ମହିଳାଙ୍କ ପୁଲିସ ପାଖରେ ଗୁହାରି

ସମ୍ବଲପୁର: ସ୍ଥାନୀୟ ସିଟି ରେଲୱେ ଷ୍ଟେସନ ନିକଟସ୍ଥ ଅଞ୍ଚଳରେ ଭୂ-ମାଫିଆଙ୍କ ଉପଦ୍ରବ ବଢ଼ିବାକୁ ଲାଗିଛି ଓ ସେମାନଙ୍କ ଉପଦ୍ରବର ଶିକାର ହୋଇଥିବା ପରିବାରଙ୍କ ପକ୍ଷରୁ ବହୁସଂଖ୍ୟକ ମହିଳାମାନେ ଗୁହାରି କରିବା ପାଇଁ ଆଜି ଜିଲ୍ଲା ପୁଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ । କିନ୍ତୁ ସେମାନଙ୍କୁ ସେଠାରୁ ପୁଲିସ ଥାନା ଯିବାକୁ କହି ଫେରାଇ ଦିଆଗଲା, ଏଣୁ ସେମାନେ ସେଠାରେ ଉପସ୍ଥିତ ମିଡ଼ିଆ ସମ୍ମୁଖରେ ନିଜ ଦୁଃଖ ବଖାଣି ଥିଲେ । ସେମାନଙ୍କ କହିବା ଅନୁସାରେ ସେମାନେ ସିଟି ରେଲୱେ ଷ୍ଟେସନ ନିକଟସ୍ଥ ଝାଙ୍କରପଡାରେ ରହୁଛନ୍ତି ଓ ନିହାତି ଗରିବ ହୋଇଥିବାରୁ ଆଖପାଖ ଅଞ୍ଚଳରେ ଦୈନିକ ମଜୁରୀ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ସେମାନଙ୍କ ନିଜସ୍ୱ କୌଣସି ଭୂମି ନଥିବାରୁ ସେମାନେ ବର୍ତ୍ତମାନ ସରକାରୀ ଜମିରେ ଘର କରି ରହୁଛନ୍ତି । ଏହି ଭୂମି ଉପରେ କିନ୍ତୁ ଗତ କିଛି ଦିନ ହେଲା ସେଠାକାର ଭୂମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିବାରୁ ସେମାନଙ୍କୁ ତଡ଼ି ଦେବା ପାଇଁ ବର୍ତ୍ତମାନ ଧମକ ଚମକ ଦିଆ ଯାଉଛି । ଏବିଷୟରେ ସେମାନେ ଗୁହାରି କରିବା ପାଇଁ ସ୍ଥାନୀୟ ଟାଉନ ଥାନାକୁ ଯିବାରୁ ସେଠାକାର କେହି ଜଣେ ପୁଲିସ କର୍ମଚାରୀ ସେମାନଙ୍କୁ ସେଠାରୁ ଫେରାଇ ଦିଆଗଲା, ଏଣୁ ଏବିଷୟରେ ଜଣାଇବା ପାଇଁ ଆଜି ପୁଲିସ ଅଧିକ୍ଷକଙ୍କ ସହିତ ସାକ୍ଷାତ କରିବାକୁ ଆସିଥିଲେ ।

Comments (0)
Add Comment