ଧର୍ମପରାୟଣ ବ୍ୟକ୍ତି ପେଦା ଗୁରୁଙ୍କ ଅକାଳ ବିୟୋଗ

ନବରଙ୍ଗପୁର: ସବୁଦିନ ପାଇଁ ନିରବି ଗଲା ଗୋଟିଏ ଶବ୍ଦ, ରାମ ରାମ ନନା, ଭଲ ଅଛୁ କି ? କାହାର ଭୋଜି, ପର୍ବ ପର୍ବାଣୀ, ଯେ କୌଣସି ମନ୍ଦିର ଉତ୍ସବ ହେଉ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିବା ଧାର୍ମିକ ବ୍ୟକ୍ତି ଥିଲେ ସିଏଚ. ଚନ୍ଦ୍ରଶେଖର ରାଓ ଓରଫ ପେଦା । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ତାଙ୍କୁ ଦେଖିଲେ ଆପେ ଆପେ ପାଟିରୁ ବାହାରି ଆସୁଥାଏ ରାମ ରାମ ଶବ୍ଦ । ସବୁ ଧର୍ମ ଓ ବର୍ଗ, ଉଚ୍ଚ ପଦାଧିକାରୀ ଠାରୁ ଆରମ୍ଭ କରି ଚପରାଶି ପର୍ଯ୍ୟନ୍ତ, ବିଶିଷ୍ଟ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରିୟ ପେଦା ଗୁରୁ, ଆନୀୟା କିମ୍ବା ଭାଇଙ୍କ ବିୟୋଗର ଖବର ଶୁଣି ସମଗ୍ର ସହରରେ ଶୋକର ଛାୟା ଖେଳି ଯାଇଛି । ହାଇଦ୍ରାବାଦ ସ୍ଥିତ ଏକ ଘୋରେଇ ହସ୍ପିଟାଲରେ ଗତ ଏକ ମାସ ଧରି ଚିକିତ୍ସାଧୀନ ଥିଲେ । ଆଜି ଅପରାହ୍ନରେ ଶେଷ ନିଃଶ୍ୱାସ ତ୍ୟାଗ କରିବା ସମୟରେ ପାଖରେ ତାଙ୍କ ପୁତ୍ର ଉପସ୍ଥିତ ଥିଲେ । ଆମ ପରିବାର ଏକ ଅମୂଲ୍ୟ ରତ୍ନ ହରାଇଛୁ, ସେ ପରିବାରର ମେରୁଦଣ୍ଡ ଥିଲେ । ତାଙ୍କ ବିୟୋଗରେ ସବୁ ପରିବାରବର୍ଗ ମର୍ମାହତ ବୋଲି ତାଙ୍କ ଭାଇ ଭେଙ୍କଟ ରାଓ ଗଭୀର ଶୋକ ପ୍ରକାଶ କରି କହିଛନ୍ତି । ପେଦା ଭାଇ ଛୋଟ ବେଳେ ଜୟପୁର ଠାରେ ଥିବା ତାଙ୍କ ମାମୁଁଙ୍କ ବେବୀ ଫଟୋ ଷ୍ଟୁଡିଓରେ କାମ ଶିଖିଥିଲେ ଓ ପରବର୍ତ୍ତୀ ସମୟରେ ଦୀର୍ଘ ୪୦ ବର୍ଷ ପୂର୍ବରୁ ନବରଙ୍ଗପୁର ଠାରେ ଗାୟତ୍ରୀ ଫଟୋ ଷ୍ଟୁଡିଓ ପ୍ରତିଷ୍ଠା କରି ଆଜି ଯାଏଁ ଚଳାଇ ଆସୁଥିଲେ । ତାଙ୍କ ଭାଦ୍ର ଓ ଶାନ୍ତ ବ୍ୟବହାର ପାଇଁ ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ଗୁଡିକରେ ସେ ଫଟୋ ଉଠେଇ ନିରାପଦ ଭାବେ ସେବା ଯୋଗେଇ ଆସୁଥିଲେ । ତାଙ୍କ ବିୟୋଗରେ ଓକିଲ ସଂଘ, ବିଭିନ୍ନ ସାମ୍ୱାଦିକ ସଂଘ, ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ, ବରିଷ୍ଟ ନାଗରିକ ତରଫରୁ ଶୋକ ପ୍ରକାଶ କରାଯାଇଛି ।

Comments (0)
Add Comment