ଗଣେଶ ପୂଜାରେ ବାସି ଭୋଗ ଖାଇ ୫୦ରୁ ଊଦ୍ଧ୍ୱର୍ ଗୁରୁତର

ହରଭଙ୍ଗା:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମୂଷାଢ଼ ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି । ଗୋଟିଏ ପଟେ ପଶ୍ଚିମ ଓଡିଶା କୃଷି ଭିତ୍ତିକ ଗଣ ପର୍ବ ମହା ଆନନ୍ଦରେ ପାଳିତ ହେଉଥିବା ବେଳେ ଅନ୍ୟ ପଟେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ୫୦ରୁ ଉଦ୍ଧ୍ୱର୍ ଶିଶୁ ଓ ମହିଳା । ସୂଚନା ଅନୁଯାୟୀ ମୂଷାଡ଼ ଗ୍ରାମରେ ଗତକାଲି ଗଣେଶ ଚତୁର୍ଥୀ ପାଳିତ ହୋଇଥିବା ବେଳେ ଆଜି ମଧ୍ୟାହ୍ନ ୧୧ଘଣ୍ଟାରେ ଗଣେଶ ପୂଜାବାସି ଚୁଡା ଭୋଗ ଖାଇ ୫୦ରୁ ଉଦ୍ଧ୍ୱର୍ ମହିଳା ଓ ଶିଶୁ ଗୁରୁତର ହୋଇଛନ୍ତି । ଚୁଡା ଭୋଗ ଖାଇବା ପରେ ପେଟରେ ଯନ୍ତ୍ରଣା ହେବା ସହ ଅଧିକାଂଶ ବାନ୍ତି କରି ଅସୁସ୍ଥ ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ଗୁରୁତରଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଓ ମହିଳା ଥିବା ଜଣାପଡିଛି । ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ପଠା ଯାଇଥିବା ଜଣାପଡିଛି । ଆଗକୁ ଆହୁରି ଗୁରୁତର ହେବେ ବୋଲି ଆଶଙ୍କା କରାଯାଉଛି ।

Comments (0)
Add Comment