ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଅନେକ ଉନ୍ନୟନ ଯୋଜନାର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡି ରହିଥିବା ଦେଖିବାକୁ ମିଳୁଛି । ବିଭିନ୍ନ ସରକାରୀ ଯୋଜନାରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗୁଡିକ ସମ୍ପୁର୍ଣ୍ଣ କରାଇବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକତାର ଘୋର ଅଭାବ ଯୋଗୁଁ ଏସବୁ କାମ ହୋଇ ପାରୁନଥିବା ଅଭିଯୋଗ ହୁଏ । ସମ୍ପୃକ୍ତ ଗ୍ରାମ ପଂଚାୟତ, ପଂଚାୟତ ସମିତି ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସେ ଦିଗରେ କୌଣସି ଦୃଷ୍ଟି ଦେଉନଥିବା ହେତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ ପ୍ରକଳ୍ପ ଲୋକଙ୍କ କାମରେ ଆସି ପାରୁନାହିଁ । ବିଶେଷ ଭାବେ ସାଂସଦ ଓ ବିଧାୟକ ହାତ ପାଣ୍ଠି, ପଶ୍ଚିମ ଓଡିଶା ବିକାଶ ପରିଷଦ ଆଦି ପାଣ୍ଠିରେ ନିର୍ମାଣ ହେଉଥିବା ଗୋଷ୍ଠୀ କେନ୍ଦ୍ର, କୋଠ ଘର, କ୍ଲବ ଘର ଓ ବିଦ୍ୟାଳୟ ଅତିରିକ୍ତ ଶ୍ରେଣୀ ଗୃହ ଜିଲ୍ଲାରେ ଶହ ଶହ ସଂଖ୍ୟାରେ ଅଧପନ୍ତରିଆ ହୋଇ ପଡିଥିବା ଦେଖିବାକୁ ମିଳୁଛି । କେତେକ ସ୍ଥାନରେ କାମ କରିଥିବା ଠିକାଦାର ଚଞ୍ଚକତା କରି ବିଲ୍ ଉଠାଇ ଆତ୍ମସାତ କରିସାରିଲେଣି । କେତେକ ପ୍ରକଳ୍ପ ୧୫ /୨୦ ବର୍ଷ ତଳୁ ଆରମ୍ଭ ହୋଇ ଏ ଯାଏଁ ଶେଷ ହୋଇପାରିନାହିଁ ।
ଉଦାହରଣ ସ୍ୱରୂପ ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ଚାରିଶମ୍ଭୁ ମନ୍ଦିର ସାମ୍ନା ଯାତ୍ରୀ ବିଶ୍ରାମକକ୍ଷ, ଗୁଢିଆଲି ଗ୍ରାମର ଗୋଷ୍ଠୀ କେନ୍ଦ୍ର, କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମର ଘାସି ସାହିର ଗୋଷ୍ଠୀ କେନ୍ଦ୍ର ଆଦି ବର୍ଷ ବର୍ଷ ଧରି ଅଧପନ୍ତରିଆ ହୋଇ ପଡିଛି । ସେ କାମ କେମିତି ଶୀଘ୍ର ସମ୍ପୁର୍ଣ୍ଣ ହେବ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ସମ୍ପୃକ୍ତ ବ୍ଲକର ବିଡିଓ ମାନେ ସମୀକ୍ଷା କରି ସମ୍ପୁର୍ଣ୍ଣ ହେବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣ ଦାବୀ କରିଛନ୍ତି ।