ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲଟପ୍ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଜିଲ୍ଲାସ୍ତରୀୟ ଏକ ମାନବିକ ଅଧିକାର ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଜିଲ୍ଲା ସଂଯୋଜକ ଏଡଭୋକେଟ ଦୁର୍ଯ୍ୟୋଧନ କରାଡ଼ଙ୍କ ସଭାପତିତ୍ୱରେ ଉପାନ୍ତ ଅଞ୍ଚଳରେ ଭାଷା ଆନ୍ଦୋଳନର ଜାଗ୍ରତ ପ୍ରହରୀ ଅବସରପ୍ରାପ୍ତ ପ୍ରଶାସକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ରାଜ୍ୟ ଆବାହକ ତଥା ହାଇକୋର୍ଟର ବରିଷ୍ଠ ଏଡଭୋକେଟ ରାଜୀବ କୁମାର ପଟ୍ଟନାୟକ ଏବଂ ନେସନାଲ ହ୍ୟୁମାନ ରାଇଟ୍ସ କମିଶନ ନୂଆଦିଲ୍ଲୀ ସଦସ୍ୟ ମନୋଜ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ଅତିଥିମାନେ ମୁଖ୍ୟତଃ ମାନବିକ ଅଧିକାର କଣ, ମାନବିକ ଅଧିକାର କିଭଳି କ୍ଷୁର୍ଣ୍ଣ ଓ ଉଲ୍ଲଂଘନ ହୋଇଥାଏ , ଏହାର ସୁରକ୍ଷାର ଉପାୟ ଓ ପ୍ରଶାସନିକ ବ୍ୟବସ୍ଥା କିଭଳି ହେବା ଆବଶ୍ୟକ ଏବଂ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ମନୁଷ୍ୟ ସମାଜରେ କିଭଳି ସ୍ୱାଭିମାନର ସହ ବଞ୍ଚିବେ, ସେ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ପୂର୍ବତନ ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ଏବଂ ଅଡ଼ବା ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ମାନବିକ ଅଧିକାର କ’ଣ ଓ ତାର ଉଲ୍ଲଂଘନ ହେଲେ କି ପ୍ରକାର ଓ କିଭଳି ପଦକ୍ଷେପ ନେବାକୁ ହେବ କହିଥିଲେ ।
ଅନ୍ୟ ପକ୍ଷରେ ଆମେ ଆମର ଅଧିକାର ପାଇବା ପାଇଁ ସଂଗଠିତ ଓ ସଚେତନ ହେଲେ ସମାଜରେ କେହି ହେଲେ ମାନବିକ ଅଧିକାରରୁ ବଞ୍ଚିତ କି ଲାଂଛିତ ହେବେ ନାହିଁ ବୋଲି କହିଥିଲେ । ଶେଷରେ ଶ୍ରୀ ମଧୁସୂଦନ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ବୀର, ରବୀନ୍ଦ୍ର କୁମାର ନାୟକ, ୟୁ .ଦୋରା, ଶରତ ଚନ୍ଦ୍ର ମଲ୍ଲିକ, ପ୍ରମିଳା ପଣ୍ଡା, ସନ୍ତୋଷ କୁମାର ଗୌଡ଼, ଲକ୍ଷ୍ମଣ ଚୌଧୁରୀ ପ୍ରମୁଖଙ୍କ ସମେତ ୬ ଟି ବ୍ଲକରେ ଥିବା ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ସଦସ୍ୟ ମାନେ ଯୋଗ ଦେଇଥିଲେ । ଶେଷରେ ପଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।